ନବାବ ମଲିକଙ୍କ ଅଣ୍ଡରୱାର୍ଲଡ଼ କନେକ୍ସନ, ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତଙ୍କ ଠାରୁ କିଣିଛନ୍ତି ଜମି : ଫଡ଼ନାଭିସ
- ଶରଦ ପାୱାର ଏବଂ ଆନୁଷଙ୍ଗିକ ବିଭାଗକୁ ଦେବେ ସୂଚନା, ତଦନ୍ତ ଦାବି କରିବେ
ମୁମ୍ବାଇ : ବିଧାନସଭାରେ ବିରୋଧି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମହାରାଷ୍ଟ୍ରର ସଂଖ୍ୟାଲଘୁ ମନ୍ତ୍ରୀ ନବାବ ମଲିକଙ୍କୁ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଅଭିଯୁକ୍ତଙ୍କ ଠାରୁ କୁର୍ଲାରେ ତିନି ଏକର ମୂଲ୍ୟବାନ ଜମି କିଣିଥିବା ଅଭିଯୋଗ କରିଛନ୍ତି । ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ଯେ, ସେ ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ତଥା ଏନସିପି ଦଳର ସଭାପତିଙ୍କ ନିକଟକୁ ଅଭିଯୋଗ ପଠାଇବେ ।
ଫଡ଼ନାଭିସ କହିଛନ୍ତି ଯେ, ମୁମ୍ବାଇରେ ସିରିଏଲ ବୋମା ବିସ୍ଫୋରଣରେ ଅଭିଯୁକ୍ତ ଭାବରେ ସର୍ଦ୍ଦାର ଶାହୱାଲି ଖାନ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ଉକ୍ତ ମାମଲାରେ ପଳାତକ ଅଭିଯୁକ୍ତ ଦାଉଦ ଇବ୍ରାହିମଙ୍କ ଭଉଣୀ ହସିନା ପାର୍କର ସଲିମ ପଟେଲଙ୍କୁ ଟାଡ଼ା ଅଧିନରେ ଗିରଫ କରାଯାଇଥିଲା । କୁର୍ଲାର ଏଲବିଏସ ମାର୍ଗରେ ଅବସ୍ଥିତ ତିନି ଏକର ଜମିକୁ ୨୦୦୫ରେ ମନ୍ତ୍ରୀ ନବାବ ମଲିକଙ୍କ ପରିବାର ମାତ୍ର ୩୦ ଲକ୍ଷ ଟଙ୍କାରେ କିଣିଥିବା ବେଳେ ଏହି ଜମିର ପ୍ରକୃତ ମୂଲ୍ୟ ୩ କୋଟି ଟଙ୍କା ଥିଲା । ଏହି ଚୁକ୍ତିରେ ନବାବ ମଲିକ ମାତ୍ର ୨୦ ଲକ୍ଷ ଟଙ୍କା ଦେଇଛନ୍ତି । ମନ୍ତ୍ରୀ ନବାବ ମଲିକ ଏହି କମ୍ପାନୀର ଅପରେଟର ରହିଛନ୍ତି ଏବଂ ନବାବ ମଲିକଙ୍କ ଭାଇ ଫରାଜ ମଲିକଙ୍କ ସହ ଏହି ଡିଲ କରାଯାଇଛି । ନବାବ ମଲିକଙ୍କ କମ୍ପାନୀ ଅଣ୍ଡରୱାର୍ଲଡ଼ ଲୋକଙ୍କଠାରୁ ପାଂଚଟି ସମାନ ସମ୍ପତି କ୍ରୟ କରିଛନ୍ତି । ସେହିପରି ବୋମା ବିସ୍ଫୋରଣରେ ଅଭିଯୁକ୍ତ ତଥା ଟାଡ଼ା ଅଭିଯୁକ୍ତଙ୍କ ସମ୍ପତି ସାଧାରଣତ ସରକାରଙ୍କ ଦ୍ୱାରା ଜବତ କରାଯାଇଥାଏ କିନ୍ତୁ ଏହି ଜମି କ୍ରୟ ଚୁକ୍ତି ମନ୍ତ୍ରୀ ନବାବ ମଲିକଙ୍କ ପରିବାର କମ୍ପାନୀ ଦ୍ୱାର ଅଣ୍ଡରୱାର୍ଲଡ଼ର ଲାଭ ପାଇଁ କରାଯାଇଥିଲା । ସେମାନେ ସମ୍ପୃକ୍ତ ବିଭାଗକୁ ଏହି ବିଷୟରେ ସୂଚନାଦେଇ ତଦନ୍ତ ଦାବି କରିବାକୁ ଯାଉଛନ୍ତି । ଏହା ସହିତ ସେ ଏନସିପି ପାର୍ଟି ସଭାପତି ଶରଦ ପାୱାରଙ୍କୁ ମଧ୍ୟ ଏହି ବିଷୟରେ ସମସ୍ତ ତଥ୍ୟ ଦେବେ, ଯାହାଦ୍ୱାରା ସେ ଜାଣିପାରିବେ ଯେ ତାଙ୍କ ମନ୍ତ୍ରୀମାନେ କେଉଁ ପ୍ରକାରର ଶୋଷଣରେ ଜଡ଼ିତ ଅଛନ୍ତି । ଦେବେନ୍ଦ୍ର ଫଡ଼ନାଭିନ କହିଛନ୍ତି ଯେ, ନବାବ ମଲିକଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ, କିନ୍ତୁ ମୁମ୍ବାଇରେ ବୋମା ବିସ୍ଫୋରଣ କରି ମୁମ୍ବାଇ ଲୋକଙ୍କ ରକ୍ତ ବୁହାଇବା ଲୋକଙ୍କୁ ଲାଭ ଦେବା କେବଳ ଦେଶର ଲୋକଙ୍କ ସୁରକ୍ଷା ସହିତ ଖେଳିବାଭଳି ନୁହେଁ ।
