କେବେ ଆରମ୍ଭ ହେବ ନବରାତ୍ରି-୨୦୨୨ ? ଜାଣନ୍ତୁ ଘଟସ୍ଥାପନା ମୁହୂର୍ତ୍ତ, ବ୍ରତ ପାଳନର ମହତ୍ତ୍ୱ ଓ ନିୟମ
ଆସୁଛନ୍ତି ମା’ । ଆଉ ଦିନ କେଇଟା ପରେ ଧରା ପୃଷ୍ଠରେ ଅବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ଏନେଇ ଗାଁ ଠୁ ସହର ଚାରିଆଡେ ଚଳଚଞ୍ଚଳ । ମା ଙ୍କ ଆଗମନ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମସ୍ତ ଦେବୀ ମନ୍ଦିର ସମେତ ପୂଜା ମଣ୍ଡପ ଗୁଡିକୁ କେଉଁଠି ଆକର୍ଷଣୀୟ ଲାଇଟ ତ ପୁଣି କେଉଁଠି ସୁଉଚ୍ଚ ତୋରଣ ରେ ସଜାଯାଉଛି । ପୂଜା ପାଖେଇ ଆସୁ ଥିବାରୁ କାରିଗରଙ୍କ ହାତକୁ ବି ଫୁରୁସତ ନାହିଁ । ଭିନ୍ନ ଭିନ୍ନ କାର୍ଯ୍ୟରେ ଲାଗି ପଡିଛନ୍ତି କାରିଗର । କେଉଁଠି କାରିଗର ମାନେ ତୋରଣ ସଜାଇବାରେ ବ୍ୟସ୍ତ ତ ଆଉ କେଉଁଠି ଦେବୀ ଦୁର୍ଗାଙ୍କ ମୃତି ତିଆରି କରିବାରେ । ସଠିକ୍ ସମୟରେ କାମ ସାରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି କାରିଗର ।
କେବେଠୁ ପୂଜା :
ନବରାତ୍ରୀ ଚଳିତ ବର୍ଷ ୨୬ ସେପ୍ଟେମ୍ବରରୁ ଆରମ୍ଭ ହେଉଛି । ପଞ୍ଚାଙ୍ଗ ଅନୁଯାୟୀ, ଘଟ ସ୍ଥାପନର ଶୁଭ ସମୟ ୨୬ ସେପ୍ଟେମ୍ବର ୨୦୨୨ ସକାଳ ୦୫:୩୯ ରୁ ଆରମ୍ଭ ହୋଇ ସକାଳ ୭.୧୩ ପର୍ୟ୍ୟନ୍ତ । ଏଥି ସହିତ, ଚୈାଘଡିଆର ଶୁଭ ସମୟ ୯.୦୩ ରୁ ୧୦.୨୬ ମିନିଟ୍ ।
ତେବେ ଶାରଦୀୟ ନବରାତ୍ରୀ ତିଥି ହେଉଛି – ପ୍ରତିପଦା ତିଥି ପ୍ରାରମ୍ଭ ୨୬ ସେପ୍ଟେମ୍ବର ସୋମବାର ସକାଳ ୩.୨୬ ମିନିଟ ଏବଂ ପ୍ରତିପଦା ତିଥି ସମାପ୍ତ ୨୭ ସେପ୍ଟେମ୍ବର ମଙ୍ଗଳବାର ୩.୧୦ ମିନିଟ୍ ।
ଶାରଦୀୟ ନବରାତ୍ରୀର ଘଟସ୍ଥାପନା ମୂହୁର୍ତ୍ତ ବିଷୟରେ ଆସନ୍ତୁ ଜାଣିବା ।
ଘଟସ୍ଥାପନା ତିଥି -୨୬ ସେପ୍ଟେମ୍ବର ସୋମବାର
ଘଟସ୍ଥାପନା ମୂହୁର୍ତ୍ତ -୨୬ ସେପ୍ଟେମ୍ବର ସକାଳ ୫.୩୯ ମିନିଟ୍ ରୁ ୭.୧୩ ମିନିଟ
କୂଳ ଅବଧି ହେଉଛି ୧ ଘଟଣ୍ଟା ୩୭ ମିନିଟ୍
ଚୈାଘାଡିଆର ଶୁଭ ମୂହୁର୍ତ୍ତ -୯.୩ ମିିଟ୍ ରୁ ୧୦.୨୬ ମିିନିଟ୍ ଯାଏଁ
ମାଙ୍କ ନଅ ଅବତାର :
ଶୈଳପୁତ୍ରୀ: ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନାଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି ।
ବ୍ରହ୍ମଚାରିଣୀ: ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି ।
ଚନ୍ଦ୍ରଘଣ୍ଟା: ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ।
କୁଷ୍ମାଣ୍ଡା: ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି ।
ସ୍କନ୍ଦମାତା: ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ। ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି ।
କାତ୍ୟାୟନୀ: ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁନଥିବା
କାଳରାତ୍ରୀ: ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ । ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍ଗ ଧାରଣ କରିଥାନ୍ତି ।
ମହାଗୌରୀ: ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି ।
ସିଦ୍ଧିଦାତ୍ରୀ: ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। (କେତେକ ଧର୍ମଗ୍ରନ୍ଥରେ ତାଙ୍କର ବାହାନ ସିଂହ ଭାବେ ଦର୍ଶାଯାଇଥିବା ବେଳେ ସେ ପଦ୍ମ ଉପରେ ଉପବେଶନ କରିଥାନ୍ତି।) ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ ।
ନବଶକ୍ତିଙ୍କର ଆବାହନ ଓ ପୂଜନ :
ଆଶ୍ୱିନ ଶୁକ୍ଳ ପ୍ରତିପଦ୍ଠାରୁ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ ନବଦିନାତ୍ମକ ଦୁର୍ଗାପୂଜା। ଏହାର ଅନ୍ୟ ନାମ ନବରାତ୍ର। ଦୁର୍ଗାପୂଜାର ପାରମ୍ପରିକ ବ୍ୟବସ୍ଥାରେ ୧୬ ଦିନ, ୯ ଦିନ, ୫ ଦିନ, ୩ ଦିନ, ୨ ଦିନ ଓ ୧ ଦିନ ପୂଜାର ବିଧାନ ଅଛି। ସେସବୁ ମଧ୍ୟରେ ୯ ଦିନିଆ ପୂଜା ଅଧିକ ଆଦୃତ। ଏଥିରେ ନବଦୁର୍ଗା ଓ ନବପତ୍ରିକା ପୂଜାର ବିଧାନ ମଧ୍ୟ ଅଛି। ଏହି ସବୁ ପୂଜା ବିଧାନ ମଧ୍ୟରେ ନଅଟି କଳସରେ ନବଶକ୍ତିଙ୍କର ଆବାହନ ଓ ପୂଜନ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ।
ଏହି ନଅଟି କଳସ ମଧ୍ୟରୁ ଆଠଟି ଆଠ ଦିଗରେ ସ୍ଥାପନ କରାଯାଏ ଏବଂ ଏହାର ମଧ୍ୟଭାଗରେ ଗୋଟିଏ କଳସ ସ୍ଥାପିତ ହୁଏ। ଏହି ଆଠଦିଗ ହେଉଛି- ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଏବଂ ଐଶାନ୍ୟ, ଅଗ୍ନି, ନୈଋତ ଓ ବାୟୁ। ଏହି ଆଠ କଳସ ଓ ମଧ୍ୟ କଳସରେ ନବଦେବୀ ବା ନବଶକ୍ତି ଅବସ୍ଥାନ କରନ୍ତି। ଏହି ଦେବୀ ବା ଶକ୍ତିମାନଙ୍କ ମଧ୍ୟରୁ, ପୂର୍ବ କଳସରେ ବ୍ରାହ୍ମୀ, ପଶ୍ଚିମ କଳସରେ ବାରାହୀ, ଉତ୍ତର କଳସରେ ଚାମୁଣ୍ଡା ଓ ଦକ୍ଷିଣ କଳସରେ କୌମାରୀ ଅବସ୍ଥାନ କରନ୍ତି। ସେହିପରି, ଐଶାନ୍ୟ କଳସରେ ମହାଲକ୍ଷ୍ମୀ, ଅଗ୍ନି କଳସରେ ମାହେଶ୍ୱରୀ, ନୈଋତ କଳସରେ ବୈଷ୍ଣବୀ ଓ ବାୟୁ କଳସରେ ଇନ୍ଦ୍ରାଣୀ ଅବସ୍ଥାନ କରନ୍ତି। ଅଷ୍ଟଦିଗର କଳସର ଏହି ଅଷ୍ଟଶକ୍ତିଙ୍କ ବ୍ୟତୀତ, ମଧ୍ୟଭାଗରେ ଅବସ୍ଥାପିତ କଳସରେ ଶିବା ଅବସ୍ଥାନ କରନ୍ତି। ଶାରଦୀୟ ନବରାତ୍ରିରେ ଏହି ନବଶକ୍ତିଙ୍କର ଆବାହନ ଓ ଉପାସନା ଫଳରେ ସେହିସବୁ ଶକ୍ତିଙ୍କର ଶୁଭାଶିଷ ମିଳିଥାଏ।
ନବରାତ୍ରି ବ୍ରତର ନିୟମ :
୧. ନବରାତ୍ରି ପ୍ରଥମ ଦିନ କଳସ ସ୍ଥାପନା କରି ୯ ଦିନ ବ୍ରତ ପାଳନ କରିବାକୁ ସଂକଳ୍ପ କରନ୍ତୁ
୨. ଶ୍ରଦ୍ଧା ଓ ଭକ୍ତିର ସହ ମା’ଙ୍କ ପୂଜା କରନ୍ତୁ
୩. ଅପରାହ୍ନ ସମୟରେ ଫଳ ଓ କ୍ଷୀର ଆହାର କରିପାରିବେ
୪. ସନ୍ଧ୍ୟା ସମୟରେ ମା’ଙ୍କ ଆଳତୀ କରିବେ
୫. ପ୍ରସାଦ ସମସ୍ତଙ୍କୁ ବାଣ୍ଟିବେ ଓ ନିଜେ ଗ୍ରହଣ କରିବେ
୬. ପ୍ରସାଦ ବଣ୍ଟନ ପରେ ଭୋଜନ ଗ୍ରହଣ କରିବେ
୭. ଯଦି ସମ୍ଭବ ୯ ଦିନ ଅନ୍ନ ଗ୍ରହଣ ନ କରି କେବଳ ଫଳ ଆହାର କରିପାରିବେ
୮. ଅଷ୍ଟମୀ କିମ୍ବା ନବମୀ ଦିନ ୯ କନ୍ୟାଙ୍କୁ ଭୋଜନ କରାଇବେ, ଉପହାର ଏବଂ ଦକ୍ଷିଣା ଦେବେ
୯. ଯଦି ସମ୍ଭବ ହୁଏ ତାହେଲେ ନବମୀ ଦିନ ହୋମ କରି ବ୍ରତ ସମାପନ କରିପାରିବେ
ନବରାତ୍ରି ବେଳେ ବାରଣ :
୧. ଯଦି ଆପଣ ନବରାତ୍ରିରେ କଳସ ସ୍ଥାପନ କରୁଛନ୍ତି ଓ ମା’ଙ୍କୁ ପୂଜା କରୁଛନ୍ତି, ତେବେ ଏହି ସମୟରେ ଅଖଣ୍ଡ ଦୀପ ଜଳାନ୍ତୁ। ଏହି ୯ ଦିନ ଘର ଆଦୌ ଖାଲି କରନ୍ତୁ ନାହିଁ। ସେହିପରି ପୂଜା ଘରକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ।
୨. ନବରାତ୍ରି ବେଳେ ନଖ କାଟିବା ମନା। ଯଦି ଆପଣ ଏବେ ଯାଏଁ ନଖ କାଟି ନାହାନ୍ତି, ତେବେ ନବରାତ୍ରି ପରେ ହିଁ କାଟନ୍ତୁ।
୩. ନବରାତ୍ରିରେ ୯ ଦିନ ବ୍ରତ ରଖୁଥିବା ବ୍ୟକ୍ତି ନିଶ ଦାଢ଼ି ଓ ଚୁଟି କାଟିବା ନିଷେଧ। କିନ୍ତୁ ଏ ଅବସରରେ ପିଲାଙ୍କ ମୁଣ୍ଡନ କରିବା ଶୁଭ ହୋଇଥାଏ।
୪. ନବରାତ୍ରିରେ ବ୍ରତ ରଖୁଥିଲେ ଭୋଜନରେ ପିଆଜ, ରସୁଣ କିମ୍ବା ଆମିଷ ଖାଆନ୍ତୁ ନାହିଁ। ନବରାତ୍ରି ବେଳେ ମାଂସାହାର ଓ ମଦ୍ୟପାନଠାରୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ।
୫. ବିଷ୍ଣୁ ପୁରାଣ ଅନୁସାରେ ନବରାତ୍ର ବେଳେ ଦିନରେ ଶୋଇବା ଅନୁଚିତ।
୬. ନବରାତ୍ର ବେଳେ ୯ ଦିନ ବ୍ରତ ରଖୁଥିବା ବ୍ୟକ୍ତି କଳା ପୋଷାକ ପିନ୍ଧିବା ଅନୁଚିତ। ଏହି ବ୍ରତ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ହୋଇ ରଖିବା ଉଚିତ। ଏଣୁ ଏହି ୯ ଦିନ ମଇଳା ଓ ଅଧୁଆ ପୋଷାକ ପିନ୍ଧନ୍ତୁ ନାହିଁ। ସେହିପରି ଏ ଅବସରରେ ସିଲେଇ କରିବାକୁ ମଧ୍ୟ ବାରଣ କରାଯାଇଛି।
୭. ବ୍ରତରେ ୯ ଦିନ ଯାକ ଲୁଣ ସେବନ କରିବା ଅନୁଚିତ। ବ୍ରତ ରଖୁଥିବା ବ୍ୟକ୍ତି ସୈନ୍ଧବ ଲୁଣ ଖାଇପାରିବେ। ଏଥିସହ ଭୋଜନରେ ସାଗୁ, ଫଳ, ଆଳୁ,ବାଦାମ ଆଦି ଖାଇବା ଉଚିତ। ନବରାତ୍ରି ବ୍ରତ ବେଳେ ଫଳାହାର ସବୁବେଳେ ଗୋଟିଏ ସ୍ଥାନରେ ବସି କରିବା ଉଚିତ।
୮. ନବରାତ୍ରି ବେଳେ ଯଦି ଦୁର୍ଗା ଚାଳିଶା, ମନ୍ତ୍ର କିମ୍ବା ସପ୍ତଶତୀ ପଢ଼ୁଛନ୍ତି ତେବେ ପାଠ କରିବା ବେଳେ ଆଉ କାହା ସହ କଥାବାର୍ତ୍ତା କରନ୍ତୁ ନାହିଁ। ଏଭଳି କରିବା ଫଳରେ ଆପଣଙ୍କ ପୂଜାର ଫଳ ନକାରାତ୍ମକ ଶକ୍ତି ପାଖକୁ ଚାଲିଯିବ।
୯. ପୂଜା କରୁଥିବା ବ୍ୟକ୍ତି ଏହି ସମୟରେ ବେଲ୍ଟ, ଚପଲ-ଜୋତା, ବ୍ୟାଗ ଭଳି ଚମଡ଼ା ଜିନିଷ ବ୍ୟବହାର କରିବାରୁ ବିରତ ରହିବା ଉଚିତ। ବ୍ରତ ରଖୁଥିବା ବ୍ୟକ୍ତି ୯ ଦିନ ପର୍ଯ୍ୟନ୍ତ ଲେମ୍ବୁ କାଟିବା ଉଚିତ ନୁହେଁ।
୧୦. ବ୍ରତ ବେଳେ ଯଦି ଫଳ ଖାଉଛନ୍ତି, ତେବେ ତାହାକୁ ଥରକରେ ହିଁ ଖାଇଦିଅନ୍ତୁ। ଅଇଁଠା ରଖି ଅନ୍ୟ ସମୟରେ ଖାଆନ୍ତୁ ନାହିଁ। ନବରାତ୍ର ବେଳେ ବ୍ରତର ଫଳ ପାଇବା ପାଇଁ ବ୍ରହ୍ମଚାର୍ଯ୍ୟ ବ୍ରତ ପାଳନ କରନ୍ତୁ।
