ଚାଉଳ କାଟ୍ ଓ ଏଲପିଜି ଦର ବୃଦ୍ଧିକୁ ନେଇ ନବୀନଙ୍କ ଟାର୍ଗେଟ୍
କେନ୍ଦ୍ରର ମହିଳା ବିରୋଧୀ ପଦକ୍ଷେପକୁ କଡା ନିନ୍ଦା କରୁଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆମ ସରକାର ଲୋକ ଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ । କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳ ରୁ ପାଂଚ କେଜି କାଟିଦେଲେ । ସେହିପରି ଏଲପିଜି ଦର ଏବେ ଆକାଶଛୁଆଁ ହେଲାଣି । ଚାଉଳ କାଟିବା ଓ ଏଲପିଜି ଦର ବୃଦ୍ଧି ଯୋଗୁଁ ମା ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ମୁଁ କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡା ନିନ୍ଦା କରୁଛି । ଏଭଳି ମନ୍ତବ୍ୟ ଦେଇ କେନ୍ଦ୍ର ସରକାରଙ୍କୁ ସିଧା ସଳଖ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ଦିନ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ଆର୍ନ୍ତଜାତିକ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା ସଶକ୍ତିକରଣ ବିଜୁ ଜନତା ଦଳର ମୁଖ୍ୟ ଫୋକସ୍ । ବିଜୁ ବାବୁ କେବଳ ଓଡିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତିକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ । ଆଜି ଓଡିଶା ଏହି କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି । ପଂଚାୟତ ଓ ଲୋକାଲ ବଡି ମାନଙ୍କରେ ମା ମାନଙ୍କର ସଂରକ୍ଷଣକୁ ଆମେ ୩୩%ରୁ ୫୦% କୁ ବୃଦ୍ଧି କରିଛୁ । ପାର୍ଲିଆମେଂଟ ଓ ବିଧାନସଭାରେ ମା ମାନଙ୍କ ପାଇଁ ୩୩% ସଂରକ୍ଷଣ ଦେବା ପାଇଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ ।
ସେ ଆହୁରି କହିଛନ୍ତି ଯେ ମୁଁ ଚାହେଁ, ଆମର ମା ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡିଶାର ପରିଚୟ ହେଉ । ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବ ।
