‘ନୋ ଫ୍ଲାଏ ଜୋନ’ ଦାବିକୁ ନାଟୋର ଅଗ୍ରାହ୍ୟ
ନୂଆଦିଲ୍ଲୀ : ‘ନୋ ଫ୍ଲାଏ ଜୋନ’ ଦାବିକୁ ନାଟୋ (ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍)ର ଅଗ୍ରାହ୍ୟ । ଏନେଇ ନାଟୋକୁ ତୀବ୍ର ସମାଲୋଚନା କରିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସ୍କି । ସେ କହିଛନ୍ତି , ‘ନାଟୋ’ର ନିଷ୍ପତ୍ତି ୟୁକ୍ରେନୀୟ ନଗର ଏବଂ ଗ୍ରାମ ଉପରେ ଅଧିକ ବୋମା ବର୍ଷଣ ପାଇଁ ଅନୁମତି ପ୍ରଦାନ କରିଛି। ‘ନୋ-ଫ୍ଲାଇ ଜୋନ୍’ ହେଉଛି ସାମରିକ ବଳରେ ସଂସ୍ଥାପିତ ଏକ ଅଞ୍ଚଳ ଯାହା ମଧ୍ୟକୁ ନିର୍ଦ୍ଦିଷ୍ଟ କେତେକ ବିମାନ ଉଡ଼ାଣକୁ ଅନୁମତି ଦିଆଯିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଆଜି ‘ନାଟୋ’ର ସମ୍ମିଳନୀ ହୋଇ ନ ଥିଲା। ହୋଇଥିଲା ଗୋଟାଏ ଦୁର୍ବଳ ଓ ବିଭ୍ରାନ୍ତ ବୈଠକ।
ଏହା ଏଭଳି ଗୋଟାଏ ବୈଠକ ଥିଲା ଯେଉଁଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ୟୁରୋପର ସ୍ବାଧୀନତା ପାଇଁ ଯୁଦ୍ଧ କରିବା କଥାକୁ କେହି ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଚାର କରୁ ନାହାନ୍ତି। ଫେବ୍ରୁଆରି ୨୪ ତାରିଖ ଦିନ ରୁଷ୍ ଜଳ ସ୍ଥଳ ଆକାଶରୁ ଆକ୍ରମଣ କରିବା ପରେ ୟୁକ୍ରେନ୍ ଆକାଶରେ ‘ନୋ-ଫ୍ଲାଏ ଜୋନ୍’ ଗଠନ କରିବା ପାଇଁ ରାଷ୍ଟ୍ରପତି ଜେଲେନେସ୍କି ‘ନାଟୋ’ରେ ଆବେଦନ କରିଥିଲେ। ପଶ୍ଚିମ ୟୁରୋପ୍ରେ ଯୁଦ୍ଧ ବାତାବରଣ ମଧ୍ୟରୁ ଦୂରେଇ ରହିବା ଲାଗି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ‘ନାଟୋ’ ୟୁକ୍ରେନ୍ର ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲା।
