ନାଥପୁର ବୋମାମାଡ଼ ଘଟଣା : ଗାଁ ପୁରୁଷ ଶୂନ୍ୟ
- ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, ପରିସ୍ଥିତି ନିୟନ୍ତ୍ରଣାଧିନ : ଏସପି
ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ାର ନାଥପୁରରେ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଗତକାଲି ବୋମାମାଡ଼ ଘଟଣା ପରେ ନାଥପୁର ଗାଁ ସମ୍ପୂର୍ଣ୍ଣ ପୁରୁଷଶୂନ୍ୟ ହୋଇପଡିଛି । ଅନ୍ୟପକ୍ଷରେ ଘର ପୋଡ଼ି ଯାଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ନେଇ ଏସପି କେ. ବିଶାଲ ସିଂହ ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ଯେ, ଗଣ୍ଡଗୋଳରେ ସମ୍ପୃକ୍ତି ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ଅଟକ ଅରଖକୁଦା ମେରାଇନ ଥାନା ପୋଲିସ ଅଟକ ରଖି ପଚରା ଉଚୁରା ଚଳାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରକାଶ ଥାଉକି, ଗତକାଲି ନିର୍ଦ୍ଦିଷ୍ଟ ଗୋଷ୍ଠି ଦ୍ୱାରା ଗ୍ରାମରେ ୨୦ ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିଲା । ଜମି ଜବରଦଖଲକୁ ନେଇ ଉତେଜନାରୁ ଏହି ବୋମାମାଡ଼ ହୋଇଥିଲା ।
