ଫେମିନା ମିସ୍ ଇଣ୍ଡିଆ-୨୦୨୩ ମୁକୁଟ ପିନ୍ଧିଲେ ନନ୍ଦିନୀ ଗୁପ୍ତା
ମୁମ୍ଵାଇ : ମଣିପୁରର ଇମ୍ଫାଲ୍ ସ୍ଥିତ ଖୁମାନ୍ ଲମ୍ପକ୍ ଇଣ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ୫୯ ତମ ଫେମିନା ମିସ୍ ଇଣ୍ଡିଆ ବ୍ୟୁଟି ପିଜାଣ୍ଟର ବିଜେତା ମିଳିଯାଇଛି। ରାଜସ୍ଥାନର ସୁନ୍ଦର ମଲ୍ଲିକା ନନ୍ଦିନୀ ଗୁପ୍ତାଙ୍କୁ ମିସ୍ ଇଣ୍ଡିଆ ୨୦୨୩ ମୁକୁଟ ପିନ୍ଧାଯାଇଥିଲା। ନନ୍ଦିନୀ ଗୁପ୍ତା ନିଜର ଆତ୍ମବିଶ୍ୱାସ ଏବଂ ସୌନ୍ଦର୍ଯ୍ୟ ସହିତ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିବାବେଳେ ପ୍ରତିଯୋଗିତାରେ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍-ଅପ୍ ହୋଇଥିବା ବେଳେ ମଣିପୁରର ଥୌନାଓଜାମ୍ ସ୍ତ୍ରେଲା ଲୁୱାଙ୍ଗ୍ ଦ୍ବିତୀୟ ରନର୍-ଅପ୍ ହୋଇଛନ୍ତି।
କଳା ଗାଉନରେ ରେମ୍ପ ଚାଲିବା ସମୟରେ ନନ୍ଦିନୀ ବହୁତ ସୁନ୍ଦର ଦେଖାଯାଉଥିଲେ । ତାଙ୍କୁ ଗତ ବର୍ଷର ମିସ୍ ଇଣ୍ଡିଆ ସିନି ଶେଟ୍ଟୀ ମୁକୁଟ ପିନ୍ଧାଇଥିଲେ। ନନ୍ଦିନୀଙ୍କୁ ବର୍ତ୍ତମାନ ମାତ୍ର ୧୯ ବର୍ଷ ବୟସ । ମିସ୍ ଇଣ୍ଡିଆ ମୁକୁଟ ଜିତିବା ପରେ ନନ୍ଦିନୀ ବର୍ତ୍ତମାନ ମିସ୍ ୱାର୍ଲ୍ଡ ବ୍ୟୁଟି ପିଜାଣ୍ଟରେ ଭାରତର ପ୍ରତିନିଧିତ୍ୱ କରିବେ। ନନ୍ଦିନୀ ଗୁପ୍ତା ରାଜସ୍ଥାନର କୋଟା ନିବାସୀ। ସେ ସେଠାରେ ବିଜନେସ୍ ମ୍ୟାନେଜ୍ମେଣ୍ଟରେ ପାଠ ପଢା କରିଛନ୍ତି। ପିଲାଦିନରୁ ସେ ‘ଫେମିନା ମିସ୍ ଇଣ୍ଡିଆ’ର ବିଜେତା ହେବାର ସ୍ୱପ୍ନ ଦେଖୁଥିଲେ ଏବଂ ଶେଷରେ ଏହା ପୂରଣ ହେଲା ।ସେ ଏହା ପୂର୍ବରୁ ‘ଫେମିନା ମିସ୍ ଇଣ୍ଡିଆ ରାଜସ୍ଥାନ’ର ବିଜେତା ହୋଇଥିଲେ। ବର୍ତ୍ତମାନ ୧୯ ବର୍ଷ ବୟସରେ, ସେ ‘ମିସ୍ ଇଣ୍ଡିଆ’ ହେବା ଅନେକ ଝିଅଙ୍କ ପାଇଁ ପ୍ରେରଣା ।
ଚଳିତ ବର୍ଷ ମଣିପୁରରେ ‘ଫେମିନା ମିସ୍ ଇଣ୍ଡିଆ’ ଆୟୋଜିତ ହୋଇଥିଲା । ଯେଉଁଠାରେ ବହୁ ବଲିଉଡ ସେଲିବ୍ରିଟି ମଧ୍ୟ ପହଞ୍ଚିଥିଲେ। ଖୁମାନ୍ ଲମ୍ପକ୍ ଇଣ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ଏହି ମୁକୁଟ ପ୍ରଦାନ ଉତ୍ସବରେ କାର୍ତ୍ତିକ ଆର୍ଯ୍ୟନ୍ ଓ ଅନନ୍ୟା ପାଣ୍ଡେ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେହିପରି, ପୂର୍ବତନ ‘ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ୍’ ବିଜୟିନୀ ସିନି ଶେଟ୍ଟୀ, ରୁବାଲ୍ ଶେଖାୱତ୍, ଶିନାତା ଚୌହାନ୍, ମନଷା ବାରାଣସୀ, ମାଣିକ ଶେଓକନ୍ଦ, ମାୟା ସିଂହ, ସୁମନ ରାଓ ଓ ଶିବାନୀ ଯାଦବ ମଧ୍ୟ ଚମତ୍କାର ମୋହେ ଲେହେଙ୍ଗା ପିନ୍ଧି ନୃତ୍ୟ ପରିବେଶଣ କରିଥିଲେ। ଦର୍ଶକମାନଙ୍କ ମନୋରଞ୍ଜନ ନିମନ୍ତେ ମନୀଷ ପଲ୍ ଓ ଭୂମି ପେଦନାକରଙ୍କ ଟିମ୍ ମଧ୍ୟ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ।
ସୂଚନା ଯେ, ଏହି ଜାତୀୟସ୍ତରୀୟ ମୁକୁଟ ବିଜୟିନୀ ହେବା ନିମନ୍ତେ ସମଗ୍ର ଦେଶରୁ ୩୦ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ସେମାନଙ୍କୁ ବାଛିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳୱାରି ତଲାସ କରାଯାଇଥିଲା।
