ପରକିୟା ପ୍ରୀତିକୁ ନେଇ ହତ୍ୟା ଘଟଣା : ୩ ଅଭିଯୁକ୍ତ କୋର୍ଟ ଚାଲାଣ
ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଘଣ୍ଟୁଆ ପଞ୍ଚାୟତର ବଡ଼କସବା ଗ୍ରାମରେ ଗୁରୁବାର ଦଶ ବର୍ଷର ପରକୀୟା ପ୍ରୀତି ପରେ ବିବାହିତ ପ୍ରେମିକାର ଷଡ଼ଯନ୍ତ୍ରର ଶିକାର ହୋଇ ବଡ଼କସବା ଗ୍ରାମର ପୁରୁଣା ପ୍ରେମିକ ତରୁଣ କୁମାର ପାତ୍ର (୩୮)କୁ ହତ୍ୟା କରି ଧାନ ବିଲରେ ପୋତି ଦିଆଯାଇଥିବା ଘଟଣାରେ ଗିରଫ ୩ଜଣକୁ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରାଇଛି ।
ପୋଲିସ ସୂଚନାରୁ ପ୍ରକାଶ, ମୃତକ ତରୁଣ ନିଜ ଗ୍ରାମର ଜନୈକା ବିବାହିତ ପ୍ରେମିକା ସନ୍ଧ୍ୟା ଜେନା (୩୦) ସହିତ ଦୀର୍ଘ ଦଶ ବର୍ଷରୁ ଅଧିକ ଦିନ ହେବ ଅନୈତିକ ସମ୍ପର୍କରେ ରହିଥିଲା । ଅଳ୍ପ ଦିନ ହେବ ପ୍ରେମିକା ସନ୍ଧ୍ୟାର ଅନ୍ୟ ଏକ ପୁରୁଷ ବନ୍ଧୁ ସହିତ ଅନୈତିକ ସମ୍ପର୍କ ଆରମ୍ଭ ହେବାର ଦେଖି ତରୁଣ ଓ ସନ୍ଧ୍ୟା ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ତରୁଣ ବୁଧବାର ସନ୍ଧ୍ୟା ସମୟରେ ଘରୁ ବାହାରି ଯାଇ ଗୁରୁବାର ସକାଳ ଯାଏଁ ଘରକୁ ଫେରି ନଥିଲେ । ଏନେଇ ଅଞ୍ଜଳି ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ବାଲିଆପାଳ ଥାନାରେ ଏକ ମାମଲା (ନଂ.୧୬୬/୨୧) ରୁଜୁ କରି ବାଲିଆପାଳ ଥାନା ଆଇଆଇସି ପର୍ଶୁରାମ ସାହୁ, ଏଏସ୍ଆଇ ଫକୀର ଚରଣ ପ୍ରଧାନଙ୍କ ସହିତ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଲୋକଙ୍କୁ ପଚାରିବା ସହିତ ରକ୍ତ ଦାଗକୁ ତଦନ୍ତ କରି ତରୁଣର ମୃତଦେହକୁ ଏକ ଧାନ ବିଲ ମଝିରୁ ଉଦ୍ଧାର କରିଥିଲେ । ଏ ବାବଦରେ ପ୍ରେମିକା ସନ୍ଧ୍ୟା ଜେନା, ସନ୍ଧ୍ୟାର ସ୍ୱାମୀ ରବିନ୍ଦ୍ର ଜେନା, ନୂଆ ପ୍ରେମିକ ଲିପନ ଦାସକୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରୁଥିବା ବେଳେ ଅନ୍ୟ ଏକ ଆସାମୀ ଫେରାର ଥିବାର ସୂଚନା ମିଳିଛି ।
