ପୌର ନିର୍ବାଚନ ପ୍ରସ୍ତୁତ : ମାଷ୍ଟର ଟ୍ରେନରଙ୍କୁ ମିଳିଲା ଇଭିଏମ୍ ଟ୍ରେନିଂ
ଭୁବନେଶ୍ୱର : ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲା : ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।
ତାଲିମ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଶୁଭାରମ୍ଭ କରିଥିବାବେଳେ ଆୟୋଗର ସ୍ୱତନ୍ତ୍ର ସଚିବ ରଘୁରାମ ଆର୍. ଆୟର, ଆଇନ୍ ଅଧିକାରୀ ମାଧୁରୀ ମିଶ୍ର ଓ ସେକ୍ସନ୍ ଅଧିକାରୀ ଉତମ କୁମାର ପରିଡ଼ା ଉପସ୍ଥିତ ରହି ଜିଲାରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍ ମାଧ୍ୟମରେ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ । ଜିଲାରୁ ଆସିଥିବା ମାଷ୍ଟର ଟ୍ରେନରମାନେ ଇଭିଏମ୍ ତାଲିମ ନେଇ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଆସନ୍ତା ଶନିବାର ଅବଶିଷ୍ଟ ୧୫ଟି ଜିଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍ ମାଧ୍ୟମରେ ଭୋଟଗ୍ରହଣ କରାଯିବା ସଂପର୍କରେ ତାଲିମ ପ୍ରଦାନ କରାଯିବ । ରାଜ୍ୟର ସମୁଦାୟ ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ୧୯୩୧ଟି ୱାର୍ଡର ୪୫୮୪ଟି ବୁଥ୍ରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରତ୍ୟେକ ବୁଥ୍ ରେ ୨ଟି ଲେଖାଏଁ ଇଭିଏମ୍ ରହିବ । ଗୋଟିଏ କାଉନ୍ସିଲର/କର୍ପୋରେଟର ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । ପ୍ରାୟ ୧୧ ହଜାରରୁ ଅଧିକ ସଂଖ୍ୟକ ଇଭିଏମ୍ ପୌରସଂସ୍ଥା ନିର୍ବାଚନରେ ବ୍ୟବହାର କରାଯିବ ବୋଲି ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
