ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ମୁମ୍ବାଇ ପୋଲିସ୍
ମୁମ୍ବାଇ : ଟିଆରପି ସ୍କାମ ମାମଲାରେ ମୁମ୍ବାଇ ପୋଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ଵାମୀଙ୍କ ନାମ ରହିଛି । ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ ପକ୍ଷରୁ ଦ୍ଵିତୀୟ ଚାର୍ଜସିଟ୍ ଦାଖଲ କରାଯାଇଛି। ରିପବ୍ଲିକ ଟିଭିର ଏଡିଟର ଇନ ଚିଫ୍ ଅର୍ଣ୍ଣବ ଗୋସ୍ଵାମୀଙ୍କ ଓକିଲ କହିଛନ୍ତି, ଅନେକ ଲୋକଙ୍କ ସମେତ ପୋଲିସର ଚାର୍ଜସିଟ୍ରେ ଅର୍ଣ୍ଣବ ଗୋସ୍ଵାମୀଙ୍କ ନାମ ରହିଛି ।
ମିଥ୍ୟା ଟିଆରପି ମାମଲା ଗତ ବର୍ଷ ଅକ୍ଟୋବରରେ ସାମ୍ନାକୁ ଆସିଥିଲା। ରେଟିଂ ଏଜେନ୍ସି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ ହଂସା ରିସର୍ଚ୍ଚ ଗ୍ରୁପ୍ ଜରିଆରେ ଅଭିଯୋଗ କରିଥିଲେ। ନିଜ ଅଭିଯୋଗରେ ବାର୍କ ରିପବ୍ଲିକ୍ ସମେତ କିଛି ଚ୍ୟାନେଲ ଟିଆରପିଏରେ ହେରଫେର କରୁଥିବା କହିଥିଲା। ଲାଇଭ୍ ଲର ରିପୋର୍ଟ ଅନୁଯାୟୀ, ଅର୍ଣ୍ଣବ ଗୋସ୍ଵାମୀଙ୍କ ସମେତ ୪ ଜଣଙ୍କ ବିରୋଧରେ ୧୮୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଏହା ପୂର୍ବରୁ ଆଉ ଗୋଟିଏ ଚାର୍ଜସିଟ୍ ଦାଖଲ ହୋଇ ସାରିଛି। ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ରିପବ୍ଲିକ ଟିଭିର ଟିଆରପି ସ୍କାମରେ ସାମିଲ୍ ଥିବା କହିଥିଲେ। ପରମବୀର ସିଂହ ୨୦୨୦ ଅକ୍ଟୋବର ୮ରେ ଟିଆରପି ସ୍କାମରେ ରିପବ୍ଲିକ ଟିଭି, ବକ୍ସ ସିନେମା ଓ ଫକ୍ତ ମରାଠି ସାମିଲ୍ ଥିବା କହିଥିଲେ। ପୋଲିସ ଅଭିଯୋଗ କରିଥିଲା ଯେ, ରିପବ୍ଲିକ ଟିଭି ସମେତ ଏହି ସବୁ ଚ୍ୟାନେଲ ବାର୍କର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କୁ ଲାଞ୍ଚ ଦେଇ ଟିଆରପିରେ ହେରଫେର କରି ନମ୍ବର ବଢାଇଥିଲେ। ମୁମ୍ବାଇ ପୋଲିସ ଏହି ଘଟଣାରେ ୧୩ ଜଣଙ୍କୁ ଗିରଫ କରିଥିଲା ।
