ମୁମ୍ବାଇରେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ମୃତ
ମୁମ୍ବାଇ : ମହାମାରୀ କରୋନାର ଦ୍ଵିତୀୟ ଲହରରେ ସାମାନ୍ୟ କମିଥିବା ବେଳେ ଏବେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ଏହି ପରିପ୍ରେକ୍ଷୀରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ମୁମ୍ବାଇରେ ପ୍ରଥମ କରି ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅଧିକାରୀଙ୍କ ଅନୁଯାୟୀ, ଜୁଲାଇ ୨୭ରେ ୬୩ବର୍ଷ ବୟସ୍କା ମହିଳା କୋଭିଡ -୧୯ର ଡେଲଟା ପ୍ଲସ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ମହିଳାଙ୍କ ସହ ତାଙ୍କ ପରିବାରର ୬ଜଣ ସଦସ୍ୟ ମଧ୍ୟ କୋଭିଡ -୧୯ରେ ସଂକ୍ରମିତ ହୋଇଥିଲେ। ଜେନୋମ ସିକ୍ୱେନ୍ସିଙ୍ଗ୍ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ୬ଜଣଙ୍କ ମଧ୍ୟରୁ ୨ଜଣ ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏବେ ଅନ୍ୟ ୪ଜଣଙ୍କ ରିପୋର୍ଟ ଆସିବା ବାକି ରହିଛି ।
ମୃତ ମହିଳା କରୋନା ଟିକାର ଉଭୟ ଡୋଜ ନେଇଥିଲେ ଏବଂ ତାଙ୍କର କୌଣସି ଯାତ୍ରା ଇତିହାସ ନଥିଲା ବୋଲି ଅଧିକାରୀମାନେ କହିଛନ୍ତି। ତେବେ ସେ ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ ଏବଂ କରୋନାଭାଇରସରେ ସଂକ୍ରମିତ ହେବା ପୂର୍ବରୁ ସେ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଛି। ୬୩ବର୍ଷ ବୟସ୍କା ମହିଳା ଜୁଲାଇ ୨୧ରେ କୋଭିଡ -୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ ଜୁଲାଇ ୨୭ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ବିଏମସି ନିକଟରେ ତାଙ୍କ ଜେନୋମ ସିକ୍ୱେନ୍ସିଙ୍ଗ୍ ରିପୋର୍ଟ ପହଞ୍ଚିଥିଲା, ଯେଉଁଥିରେ ଦର୍ଶାଯାଇଥିଲା ଯେ, ସେ କୋଭିଡ୍ -୧୯ର ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ଥିଲେ ।
