ବାଲେଶ୍ୱର : ଜିଲାସ୍ତରୀୟ ‘ସମ୍ବିଧାନ ଦିବସ’ ଅବସରରେ ମୁଖବନ୍ଧ ପାଠ
ବାଲେଶ୍ୱର : ସ୍ୱାଧୀନତା ପ୍ରାପ୍ତିର ଅନତିପରେ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତବର୍ଷ ନିଜକୁ ଦେଇଥିଲା ଏହାର ସମ୍ବିଧାନ । ଭାରତ ସମ୍ବିଧାନର ପିତା ଡ. ଭୀମରାଓ ଆମ୍ବେଦକରଙ୍କ ନେତୃତ୍ୱରେ ସମ୍ବିଧାନ ପ୍ରଣୟନ ସଭାରେ ଗୃହୀତ ହେବା ପରେ ୧୯୪୯ ମସିହା ଆଜିର ଦିନରେ ଆମ ସମ୍ବିଧାନ ଅଙ୍ଗୀକୃତ, ଅଧିନିୟମିତ ତଥା ଆତ୍ମାର୍ପିତ ହୋଇଥିଲା ।
ଏହି ନଭେମ୍ବର ୨୬ ତାରିଖ ଦିନଟିକୁ ଭାରତବର୍ଷରେ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇଆସୁଛି । ଆମ ରାଜ୍ୟରେ ଏହା ବିଭିନ୍ନ ସରକାରୀ ତଥା ବେସରକାରୀ ସ୍ତରରେ ଭିନ୍ନ ଭିନ୍ନ ବିଭାଗ/ଅନୁଷ୍ଠାନର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଉଛି । ଆମ ସମ୍ବିଧାନର ପ୍ରାରମ୍ଭରେ ଏହାର ମୁଖବନ୍ଧ ସ୍ଥାନିତ ହୋଇଛି ଯାହାକୁ ସମ୍ବିଧାନର ଆତ୍ମା କୁହାଯାଇଥାଏ । ସମ୍ବିଧାନ ଦିବସ ପାଳନର ଏକ ମୁଖ୍ୟ ଅଂଶ ହେଉଛି ସମସ୍ତ ନାଗରିକଙ୍କ ଦ୍ୱାରା ମୁଖବନ୍ଧ ପାଠ । ଶନିବାର ପୂର୍ବାହ୍ନ ୧୦ ଟା ସମୟରେ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀଙ୍କୁ ନେଇ ଏହି ମୁଖବନ୍ଧ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ କର୍ମଚାରୀ ଓ ଅନ୍ୟମାନଙ୍କୁ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ମୁଖବନ୍ଧ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ବାଲେଶ୍ୱର ଅତିରିକ୍ତ ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଡେପୁଟି କଲେକ୍ଟର ସିତାଂସୁ ଦାସ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲା ଜରୁରୀକାଳୀନ ଅଧିକାରୀ ସୁଶ୍ରୀ ରିଜୱାନା କୱକବ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ଅବକାରୀ ଅଧୀକ୍ଷକ ଓ ଅନ୍ୟ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ରହି ମୁଖବନ୍ଧ ପାଠରେ ଯୋଗଦାନ କରିଥିଲେ । ପ୍ରକାଶ ଥାଉକି ପ୍ରଥମେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ ଏବଂ ତତ୍ ପରେ ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ମୁଖବନ୍ଧ ପାଠ କରାଇଥିଲେ ।
