ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତି! ଭଲ ପାଇ ଭୁଲ୍ କଲି, ନ୍ୟାୟ ଅପେକ୍ଷାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା
ଭୁବନେଶ୍ୱର : ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ଅନୁଭବ ଏବେ ଏମିତି ଏକ ଭିଡିଓ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ ସେ ତାଙ୍କ ପରିବାର, ସମ୍ପର୍କ ଓ ପଲିଟିକାଲ୍ କ୍ୟାରିୟର ବିଷୟରେ କହିଛନ୍ତି। ଏପରିକି ସେ ଭାବବିହ୍ୱଳ ହୋଇପଡ଼ିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ‘ଭଲ ପାଇ ଭୁଲ୍ କଲି । ଜୀବନରେ ଗୋଟିଏ ମାତ୍ର ଭୁଲ କରିଛି ତାହା ହେଉଛି ଜୀବନ ସାଥୀ ବାଛିବାରେ । ମୁଁ ତାଙ୍କୁ ପ୍ରକୃତରେ ଭଲ ପାଉଥିଲି। ହେଲେ ମୋ ଘରେ କେହିବି ରାଜି ନଥିଲେ। ଏପରିକି ତାଙ୍କ ଘରେ ମଧ୍ୟ କେହିବି ରାଜି ନଥିଲେ । ୨୦୦୮ ମସିହାରେ ଜଣକୁ ଭଲ ପାଇଲି । ୨୦୧୪ରେ ତାଙ୍କୁ ବିବାହ କଲି। ତାପରଠୁ କେବେ ବି ଅନ୍ୟ ଝିଅ ସମ୍ପର୍କରେ ଭାବି ନାହିଁ । ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ନନେଇ ବି ତାଙ୍କ ଇସାରାରେ ଅନେକ କିଛି କହିଛନ୍ତି ଅନୁଭବ। ଏହି ଭିଡିଓକୁ ଫେସ୍ବୁକ୍ରେ ‘ ଅନୁଭବ ମହାନ୍ତି ଦି ରିଅଲ୍ ହିରୋ ଅଫ କେନ୍ଦ୍ରାପଡ଼ା’ ସେୟାର କରିଛି।
ଭିଡିଓରେ ଅନୁଭବ ଲଗାତାର ମାନସିକ ଯନ୍ତ୍ରଣା ଦେଇ ଗତି କରୁଥିବା ପ୍ରକାଶ କରିଥିବା ବେଳେ କୌଣସି ଏକ ବଡ଼ ଶକ୍ତି ତାଙ୍କୁ ତଳିତଳାନ୍ତ କରିଦେବାକୁ ପ୍ରୟାସ କରୁଥିବା କହିଛନ୍ତି। ଏଥିସହ ପରୋକ୍ଷରେ ନିଜ ରାଜନୈତିକ ଜୀବନକୁ ନେଇ ଅସୁରକ୍ଷିତ ମନେ କରିଛନ୍ତି। ‘ଏହି ଭିଡିଓ ପରେ ମୋତେ ରାଜନୀତିରୁ ବାହାର କରିଦିଆଯାଉ କି ଗ୍ରହଣ କରାଯାଉ, ସେ ସବୁ ପାଇଁ ମୁଁ ପ୍ରସ୍ତୁତ। କିନ୍ତୁ ମୁଁ ନିଷ୍ପତ୍ତି ନେଇଛି ମୁଁ ଲଢ଼ିବି, ଲଢ଼େଇ ଜାରି ରଖିବି ଓ ନ୍ୟାୟ ପାଇବି’ ବୋଲି ସେ କହିଛନ୍ତି।
ଅନୁଭବ କହିଛନ୍ତି, ଭିଡିଓ କରିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା। କିନ୍ତୁ କଷ୍ଟ ଯେତେବେଳେ ସୀମା ଲଂଘେ ସେତେବେଳେ ମଣିଷ ଆଉ କ’ଣ କରିପାରିବ। ମୋ ଦୁଃଖ ମୁଁ ରାଜ୍ୟବାସୀଙ୍କୁ ଜଣାଇବାକୁ ଚାହିଁଲି। ବହୁକଷ୍ଟ କରି ମୋ ବାପାମା’ ଆମ ଦୁଇ ଭାଇଙ୍କୁ ମଣିଷ କରିଛନ୍ତି। ୧୭ ବର୍ଷ ବୟସରେ ଯେତେବେଳେ ମୋର ମଧୁମେହ ରୋଗ ନିରୂପଣ ହୋଇଥିଲା; ପ୍ରତିମାସରେ ମୋର ଇନ୍ସୁଲିନ୍ ପାଇଁ ୨୮୫ ଟଙ୍କା ଦରକାର ପଡ଼ୁଥିଲା। ସେତେବେଳେ ଆର୍ଥିକ ଦୁରାବସ୍ଥା ସତ୍ତ୍ବେ ମୋ ବାପାମା’ ମୋର ସମସ୍ତ ଚିକିତ୍ସା କରୁଥିଲେ। ଇନ୍ସୁଲିନ୍ ପାଇଁ ମୋ’ ମା’ ତାଙ୍କ ସୁନା ବନ୍ଧା ପକାଉଥିଲେ। ଅନେକ ସମୟରେ ସେ ସେହି ସୁନା ଉଠାଇ ବି ପାରୁନଥିଲେ। ତଥାପି କେବେ ସେ ଦୁଃଖ କରିନାହାନ୍ତି। କିନ୍ତୁ ଆଜି ମୋର ସେହି ଭୁଲ ନିଷ୍ପତ୍ତି ପାଇଁ ମୋ ପୂରା ପରିବାର କାନ୍ଦୁଛନ୍ତି, ମାନସିକ ଯନ୍ତ୍ରଣା ଭୋଗୁଛନ୍ତି।
ସେ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିଛନ୍ତି, ୨୦୦୪ରେ ମୋର ପ୍ରଥମ ଚଳଚ୍ଚିତ୍ର ପରେ ମୁଁ ଓଡ଼ିଶାବାସୀଙ୍କ ପ୍ରଚୁର ଭଲ ପାଇବା ପାଇଛି। ୨୦୦୮ ମସିହାରେ ମୁଁ ଜଣଙ୍କୁ ନିଜଠୁ ବି ଅଧିକା, ଦୁନିଆର ସମସ୍ତଙ୍କଠୁ ବି ଅଧିକା ଭଲ ପାଇବସିଲି। ତାଙ୍କୁ ଭଲ ପାଇବା ପରଠାରୁ ମୁଁ ଆଉ କାହା କଥା କେବେ ଭାବିନାହିଁ। କିନ୍ତୁ ଉଭୟ ପରିବାର ଆମ ବାହାଘର ପାଇଁ ରାଜି ନଥିଲେ। ତାଙ୍କ ପରିବାର ବାହାଘର ପାଇଁ ରାଜି ନଥିବାର କାରଣ ସେତେବେଳେ ମୋତେ ଅଲଗା କୁହାଯାଇଥିଲା। ସେ ସମୟରେ ମୁଁ ସତ ଜାଣିନଥିଲି। ସମସ୍ତଙ୍କୁ ରାଜି କରାଇ ଆମେ ୨୦୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ। କିନ୍ତୁ ବିବାହ ପରେ ମୁଁ ସତ ଜାଣିବାକୁ ପାଇଲି। ଯଦି ଓଡ଼ିଶାବାସୀ ଚାହିଁବେ ତେବେ ଅନ୍ୟ ଏକ ଭିଡିଓରେ ସେ ସତ ମୁଁ ପ୍ରକାଶ କରିବି। ଏ କୋର୍ଟ, କଚେରି, ଥାନା, ପୁଲିସ କେବେ ଦେଖିନଥିଲି। କିନ୍ତୁ ଏସବୁକୁ ଏବେ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି; ସେ ପୁଣି ଜଣକୁ ଭଲ ପାଇ, ଏକଥା ମୁଁ କେବେ କଳ୍ପନା ବି କରିନଥିଲି। ଜଣେ କେବଳ ମହିଳା ବୋଲି, ସେ ଯାହା ଦେଖାଇବେ କିମ୍ବା କହିବେ ତାହା କ’ଣ ସତ? ମୁଁ ଏତେ ବର୍ଷରେ କ’ଣ ଭୋଗିଛି ମୋ ଚାରିପାଖର ଲୋକ ଦେଖିଛନ୍ତି। ସମସ୍ତେ ଜାଣିଛନ୍ତି ସତ କ’ଣ, ମିଛ କ’ଣ। କିନ୍ତୁ ଯଦି ଗୋଟେ ବଡ଼ ଶକ୍ତି ମୋତେ ବଦ୍ନାମ ତଥା ତଳିତଳାନ୍ତ କରିବାକୁ ନିଷ୍ପତ୍ତି ନେଇସାରିଛି, ସେଠି କିଏ ବା କ’ଣ କରିପାରିବ? ଦର୍ଶକ ଓ ଓଡ଼ିଶାବାସୀ ସତ ଜାଣିବାକୁ ଚାହିଁଲେ, ମୁଁ ଅନ୍ୟ ଏକ ଭିଡିଓ କରି ଉକ୍ତ ମହିଳାଙ୍କ ସମ୍ପର୍କରେ ସମସ୍ତ ସତ କହିବି। ଭିଡିଓ ଭାଇରାଲ ହେବାପରେ ତାଙ୍କର କିଛି ପ୍ରଶଂସକ ତାଙ୍କୁ ବର୍ଷାଙ୍କ ସହ ବୁଝାମଣା କରିନେବାକୁ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ଅନୁଭବ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କୁ ଏହି ଜନ୍ମରେ ନୁହେଁ କି ଅନ୍ୟ କୌଣସି ଜନ୍ମରେ ଆଉ ଆପଣାଇ ପାରିବେ ନାହିଁ ବୋଲି କହିଥିଲେ ।
