ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର : ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ସ୍ଥଗିତ ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତି ନେଇଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପରେ ଆସନ୍ତା ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ଶିକ୍ଷକ ସଂଘ । ଶିକ୍ଷକ ସଂଘର ନିଷ୍ପତି ପୂର୍ବରୁ ବୁଧବାର ଅପରାହ୍ନରେ ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତି ଅନୁସାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ଏଥିରେ ଉନୟନ କମିଶନର, ଅର୍ଥ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ରହିବେ । ଏହି କମିଟି ଆସନ୍ତା ଡିସେମ୍ବର ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା କରିବ ଏବଂ ନିଷ୍ପତି ନେବ । ତେବେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନରୁ ହଟିବେ କି ନାହିଁ ସଙ୍ଘର ଷ୍ଟିୟରିଂ କମିଟିରେ ନିଷ୍ପତି ନିଆଯିବ ।ସୂଚନାଯୋଗ୍ୟ, ଗତ ରବିବାର ଦିନ ଠାରୁ ଶିକ୍ଷକମାନେ ୩ଦଫା ଦାବି ନେଇ ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଗୁରୁବାରଠାରୁ ସାମୂହିକ ଛୁଟିରେ ଯିବେ ବୋଲି ଧମକ ଦେଇଥିଲେ । ପିଲାଙ୍କ ପାଠପଢ଼ାରେ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶିକ୍ଷକମାନେ କହିଥିଲେ । ସୋମବାର ଗଣଶିକ୍ଷା ସଚିବ ଅଶ୍ୱସ୍ତି ଏସ୍ଙ୍କ ସହ ଆଲୋଚନା ବିଫଳ ହୋଇଥିବା ବେଳେ ମଙ୍ଗଳବାର ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ସହ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରି ନ ଥିଲା ।
