ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ
ଯାଜପୁର : ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଶ୍ରୀରାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ଯୋଗୁଁ ବୋହୂକୁ ପଥରରେ ଛେଚି ହତ୍ୟାକଲା ଶାଶୂ । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଯେ, ଶ୍ରୀରାମପୁର ଗ୍ରାମର ପୀତବାସ ପରିଡାଙ୍କ ଭଉଣୀ ଶାନ୍ତିଲତା ୧୦ ବର୍ଷ ହେବ ବଡ଼ଚଣା ଥାନା ଅଧୀନ ହରିଚନ୍ଦନପୁର ଗ୍ରାମର ତରୁ ଦାସଙ୍କୁ ବିବାହ କରିଥିଲେ । ଦୀର୍ଘ ଦିନ ଧରି ଶାଶୂ ଓ ବୋହୂଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଶନିବାର ଶାଶୁ ଓ ବୋହୂଙ୍କ ମଧ୍ୟରେ କଳହ ବୃଦ୍ଧି ପାଇଥିଲା । ଏଥିରେ ଶାଶୂ ଉତକ୍ଷିପ୍ତ ହୋଇ ବୋହୂ ଶାନ୍ତିଲତାଙ୍କୁ ପଥରରେ ଛେଚି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ବୋହୂ ଶାନ୍ତିଲତା ଗୁରୁତର ହୋଇଥିଲେ । ଶାନ୍ତିଲତାଙ୍କୁ ଉଦ୍ଧାର କରାଯାଇ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇ ଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ବୋହୂ ଶାନ୍ତିଲତାଙ୍କ ବାପ ଘର ପକ୍ଷରୁ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଘଟଣାରେ ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଂଚିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
