ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ଟ୍ରମ୍ପ୍ଙ୍କ ‘ଟ୍ରୁଥ୍ ସୋସିଆଲ୍’
ୱାସିଂଟନ୍ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କର ନୂଆ ସାମାଜିକ ଗଣମାଧ୍ୟମ କମ୍ପାନି ‘ଟ୍ରୁଥ୍ ସୋସିଆଲ୍’ ଗତ ସୋମବାର ‘ଆପଲର ଆପ୍ ଷ୍ଟୋର୍’ରେ ରିଲିଜ୍ ହୋଇଛି । କିଛି ଦିନ ହେବ ‘ଟ୍ରୁଥ୍ ସୋସିଆଲ୍’କୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଆପ ଏକ ନୂଆ ସଫଳତା ହାସଲ କରିଛି । ‘ଆପଲର ଆପ୍ ଷ୍ଟୋର୍’କୁ ଆସିବାର କିଛି ଘଂଟା ମଧ୍ୟରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ବନିଛି ‘ଟ୍ରୁଥ୍ ସୋସିଆଲ୍’ ।
ଏହି ଆପ୍ ଲଂଚ ହେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆକୁ ଫେରିଛନ୍ତି ।
ଗତ ବର୍ଷ ଆମେରିକାରେ ହୋଇଥିବା ହିଂସା ପରେ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହା ପରେ ସେ ନିଜେ ଏକ ଆପ ଲଂଚ କରିବା ନେଇ ଘୋଷଣା କରିଥିଲେ । ଏବେ ଏହି ଆପ୍ ଲଂଚ ହେବା ପରେ ଲୋକଙ୍କ ମଧ୍ୟରେ ଏହି ଆପକୁ ନେଇ କେତେ ଉତ୍ସାହ ଥିଲା ତାହା ଜଣାପଡ଼ିଛି । ସୋମବାର ମଧ୍ୟରାତ୍ରରେ ଲଂଚ ହୋଇଥିବା ଏହି ଆପ ସୋମବାର ସକାଳକୁ ଏକ ବଡ଼ ସଫଳତା ହାସଲ କରିସାରିଥିଲା । ଆପଲ ଆପ ଷ୍ଟୋରର ଫ୍ରି ଆପର ସୂଚୀରେ ୧ନମ୍ବରରେ ଥିଲା ‘ଟ୍ରୁଥ୍ ସୋସିଆଲ୍’ । ଯେଉଁ ଉପଭୋକ୍ତାମାନେ ଏହି ଆପ୍ ପାଇଁ ପୂର୍ବରୁ ପଞ୍ଜୀକୃତ ହୋଇଥିଲେ, ଏବେ ସେମାନଙ୍କ ଆପଲ୍ ଡିଭାଇସରେ ଏହି ଆପ ସ୍ୱୟଂଚାଳିତ ଭାବରେ ଡାଉନଲୋଡ୍ ହେଉଛି । ଉଲ୍ଲେଖଯୋଗ୍ୟ, ଟ୍ରୁଥ୍ ସୋସିଆଲର ମୂଳ କମ୍ପାନି ହେଉଛି ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍ । ଏବେ ଏହାର ଦାୟିତ୍ୱ ତୁଲାଉଛନ୍ତି ଡିଭିନ ନ୍ୟୁନ୍ସ । ରବିବାର ଦିନ ଏକ ବିବୃତିରେ ନ୍ୟୁନ୍ସ କହିଥିଲେ ଯେ, ‘ଏହି ସପ୍ତାହରେ ଆମେ ଆପଲ୍ ଆପ୍ ଷ୍ଟୋର୍ରେ ଆପ୍ ଲଂଚ କରିବୁ । ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଆପ୍ ସମଗ୍ର ଆମେରିକାରେ ଉପଲବ୍ଧ ହେବ ।
