ବାଲେଶ୍ୱର : ୧୦ହଜାରରୁ ଉର୍ଦ୍ଧ୍ୱ ଦୁଗ୍ଧଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର କୋଭିଡ୍ ସହାୟତା
ବାଲେଶ୍ୱର : କୋଭିଡ୍ ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟର ଦୁଗ୍ଧ ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ୟାକେଜର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ଓମଫେଡ୍ ସହ ଅନୁବନ୍ଧିତ ପ୍ରାୟ ୧ଲକ୍ଷ ଦୁଗ୍ଧ ଚାଷୀ ଏହା ଦ୍ୱାରା ଉପକୃତ ହେବେ । ଭିଡିଓ କନଫରେନସିଂ ଜରିଆରେ ଆଜି ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ସହ ବିଭିନ୍ନ ଜିଲ୍ଲାର ଦୁଗ୍ଧ ଚାଷୀମାନଙ୍କ ସହ କଥାବାର୍ତା ହୋଇଥିଲେ । ଏହି ଅବସରରେ ବ୍ରୋଞ୍ଜ ପଦକ ଲାଭ କରିଥିବା ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ କୋଭିଡ୍ ମହାମାରୀ ଛୋଟ ଚାଷୀ ଓ ବ୍ୟବସାୟୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିବା କହିଥିଲେ । ରାଜ୍ୟ ସରକାର ସବୁବେଳେ ଗରୀବ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା ସେ କହିଥିଲେ । ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଦୁଗ୍ଧ ଚାଷୀଙ୍କ ବିଶେଷ ଅବଦାନ ଥିବା ପ୍ରକାଶ କରି ସେମାନଙ୍କ ଉଦ୍ୟମ ଯୋଗୁଁ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ୩ଗୁଣ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ । ଦୁଗ୍ଧ ଚାଷୀଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଥିବା ବେଳେ ବିଭିନ୍ନ ସରକାରୀ ଯୋଜନା ଏବଂ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସବସିଡିର ଲାଭ ଉଠାଇ ରାଜ୍ୟର ଅର୍ଥନୈତିକ ବିକାଶରେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ । ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଏହି ଅବସରରେ ଦୁଗ୍ଧ ଚାଷ କ୍ଷେତ୍ରରେ ହୋଇଥିବା ପ୍ରଗତି ଉପରେ ଆଲୋକପାତ କରିଥିଲେ । ଏହି ଅବସରେ ଦୁଗ୍ଧ ଚାଷରେ ସଫଳତା ଲାଭ କରିଥିବା ରାଜ୍ୟର ୩୦ଟି ଜିଲ୍ଲାର ଚାଷୀ ବିଶେଷ କରି ମହିଳା ଦୁଗ୍ଧ ଚାଷୀମାନେ ଭିଡିଓ କନଫରେନ୍ସି ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କ ଅନୁଭୂତି ସମ୍ପର୍କରେ କହିଥିଲେ । ଓମଫେଡ୍ ସହ ଅନୁବନ୍ଧିତ ବାଲେଶ୍ୱର ଜିଲ୍ଲାର ୮ଜଣ ମହିଳା ଦୁଗ୍ଧ ଚାଷୀ ସ୍ଥାନୀୟ ଓସୱାନ୍ ହଲରେ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ଏହି ମହିଳା ଦୁଗ୍ଧ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଅନୁଭୂତି ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାରେ ଥିବା ୨୨୪ଟି ଦୁଗ୍ଧ ସମବାୟ ସମିତିର ସଫଳ ଦୁଗ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ପଦକ୍ଷେପ ନେବା ଲାଗି ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସ୍ୱତନ୍ତ୍ର କୋଭିଡ୍ ପ୍ୟାକେଜ ଜରିଆରେ ଜିଲ୍ଲାର ୧୦ହଜାର ୪୭୬ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଜିର ଏହି ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ୟାକେଜ ଶୁଭାରମ୍ଭ ଅବସରରେ ଜିଲ୍ଲାର ୧୧ଜଣ ଦୁଗ୍ଧଚାଷୀଙ୍କୁ ୬ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଅଳ୍ପ ଦିନ ମଧ୍ୟରେ ଅନ୍ୟ ଚାଷୀମାନଙ୍କୁ ତାହା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଓସଓା୍ୱନ ହଲରେ “ବାମୁଲ”ର ସାଧାରଣ ପରିଚାଳକ ରଶ୍ମିରେଖା ବିନ୍ଧାଣୀ, ସିଡିଭିଓ ଡା.ଆର.ଏନ. ମହାନ୍ତି, ଏଲଡିଏମ ସୁଦୀପ ଡାକୁଆ, ମହିଳା ଦୁଗ୍ଧ ଚାଷୀ ମାଳତୀ ପରିଡା, ତୃପ୍ତି ପାଢୀ, ରଶ୍ମିରେଖା ବେହେରା, ବୀଣାପାଣି ଦାସ, ସୁକୁମାରୀ ମହାପାତ୍ର, ଜୟନ୍ତୀ ମହାନ୍ତି, ବାସନ୍ତୀ ରାଉତ, ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ଦୁଗ୍ଧ ଚାଷୀଙ୍କ ପାଇଁ ସହାୟକ ହେବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ପ୍ରକାଶ କରିଥିଲେ ।
