ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ
- ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ। । କରୋନା କଟକଣା ମଧ୍ୟରେ ଏହି ଅଧିବେଶନ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସ୍ୱଳ୍ପ କାଳୀନ ଅଧିବେଶନ ମଧ୍ୟରେ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୨ଟି ବିଲ ଆସିବ । ତେବେ ମୌସୁମୀ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା। ଏପରିକି ବିଧାନସଭା ଚାରିକଡ଼ ରାସ୍ତାକୁ ନୋ ମ୍ୟାନ୍ସ ଲ୍ୟାଣ୍ଡ ଏରିଆ ଭାବେ ଘୋଷଣା କରାଯାଇଛି। ବିଧାନସଭା ଭିତର, ଧାରଣାସ୍ଥଳ ଓ ଚତୁଃପାର୍ଶ୍ବ ସୁରକ୍ଷା ଦାୟିତ୍ବରେ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ତା ସାଙ୍ଗକୁ ୧୫୦ ଅଫିସର ନିୟୋଜିତ ରହିବେ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଅଧିବେଶନରେ ଯୋଡି ହୋଇଛନ୍ତି । ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏମ୍ସର ଅତିଥି ଭବନରୁ ଅଧିବେଶନ ଯୋଡି ହୋଇଛନ୍ତି । ଅନ୍ୟମାନେ ଚାହିଁଲେ ବି ଭିଡିଓ କନଫରେନ୍ସିଂ ଜରିଆରେ ଜରିଆରେ ଯୋଡି ହୋଇପାରିବ ବୋଲି ବାଚସ୍ପତି କହିଛନ୍ତି। ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ନେତା ଓ କୋଭିଡ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାଵ ଆଗତ କରାଯାଇଥିବା ବେଳେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ବିଧାନସଭା ଅଧିବେଶନ ସମୟରେ ଆତଙ୍କବାଦ କାର୍ଯ୍ୟକଳାପ ଭଳି ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ(ଓସାଫ୍), ସ୍ପେସାଲ ଟାକ୍ଟିକାଲ୍ ୟୁନିଟ୍(ଏସଟିୟୁ), କୁଇକ୍ ରିଆକ୍ସନ ଟିମ୍, କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍(ସିଟିଏସ୍) ପ୍ରମୁଖ ସଜାଗ ରହିବେ। ଏହା ସହ ବମ୍ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡ୍ ମଧ୍ୟ ରହିବେ। ବିଶେଷ କରି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରୁଥିବା ଲୋକଙ୍କୁ ଜଗିବା ପାଇଁ ସାଦା ପୋଷାକଧାରୀ ପୁଲିସ ମୁତୟନ ରହିବେ। ସେମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ଉଭୟ ପୁଲିସର ଗୁଇନ୍ଦା ଓ ସ୍ପେସାଲ ବ୍ରାଞ୍ଚ କର୍ମଚାରୀ ସତର୍କ ରହିବେ। ନୋ ମ୍ୟାନ୍ସ ଲ୍ୟାଣ୍ଡ ଏରିଆରେ ଯେଉଁମାନେ ଯିବାକୁ ଉଦ୍ଦିଷ୍ଟ ସେମାନଙ୍କର ପରିଚୟପତ୍ର ଯାଞ୍ଚ କରି ଛଡ଼ାଯିବ ବୋଲି ଜଣାପଡ଼ିଛି।
