ଆମେରିକାରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ଚିହ୍ନଟ, ୨ଜଣ ହେଲେ ସଂକ୍ରମିତ
ନୂଆଦିଲ୍ଲୀ: ଭାରତ ପରେ ଆମେରିକାରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ଚିହ୍ନଟ ହୋଇଛି । କାଲିଫର୍ଣ୍ଣିଆର ଜଣେ ଶିଶୁ ଓ ଆଉ ଜଣେ ନବଜାତକ ଶିଶୁଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ଏନେଇ ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଆମେରିକା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଦେଶରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଭାଇରସ ମିଳିଛି । ଏହାପୂର୍ବରୁ ଏଥିରେ କେବଳ ବୟସ୍କମାନେ ଆକ୍ରାନ୍ତ ହେଉଥିଲେ । ତେବେ ଯେଉଁ ଦୁଇ ଶିଶୁଙ୍କଠାରେ ଭାଇରସ ଚିହ୍ନଟ ହୋଇଛି ସେମାନଙ୍କର ପରସ୍ପର ସହ କୌଣସି ସମ୍ପର୍କ ନାହିଁ । ଉଭୟ ଶିଶୁ ଏବେ ସୁସ୍ଥ ଅଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଅଧିକାରୀମାନେ ଆହୁରି କହିଛନ୍ତି ଯେ, ମଙ୍କିପକ୍ସ ଜଣେ ଅନ୍ୟଜଣଙ୍କ ସମ୍ପର୍କରେ ଆସିବା କାରଣରୁ ବ୍ୟାପିଥାଏ । ଏବେସୁଦ୍ଧା ୬୦ରୁ ଅଧିକ ଦେଶରେ ଏହି ଭାଇରସ ଆତଙ୍କ ଖେଳାଇ ସାରିଛି । ୧୪୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ଆଫ୍ରିକାରେ ୫ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ସେହିପରି ଅଧିକାରୀମାନେ କହିଛନ୍ତି ଯେ, ମଙ୍କିପକ୍ସରେ ଏବେ ଶିଶୁ ସଂକ୍ରମିତ ହେଉଛନ୍ତି । ଏଥିରେ ଆଶ୍ଚର୍ୟ୍ୟ ହେବାର କିଛି ନାହିଁ । ଆମେରିକାରେ ଏବେସୁଦ୍ଧା ୨୫୯୩ ମାମଲା ସାମ୍ନାକୁ ଆସିଛି । ଏହାମଧ୍ୟରୁ ଅଧିକାଂଶ ପୁରୁଷ ରହିଛନ୍ତି । ଏଥତ୍ ବ୍ୟତୀତ କିଛି ମହିଳା ଓ କିନ୍ନର ମଧ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ।
