ମନି ଲଣ୍ଡରିଙ୍ଗ ମାମଲା : ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଗିରଫ
ମୁମ୍ବାଇ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ମହାରାଷ୍ଟ୍ରର ଥାଣେ ଜିଲ୍ଲାରୁ ଗିରଫ କରିଛି । ତାକୁ ବିଶେଷ ପିଏମଏଲ କୋର୍ଟରେ ହାଜର କରାଯାଇଛି । ଏହା ପରେ ଇକବାଲକୁ ୭ ଦିନ ହେପାଜତରେ ପ୍ରବର୍ତନ ନିର୍ଦ୍ଦେଶାଳୟ ନେଇଛି । ପ୍ରବର୍ତ୍ତମନ ନିର୍ଦ୍ଦେଶାଳୟ ଦାଉଦ ଓ ତାର ସହଯୋଗୀମାନଙ୍କ ନାଁରେ ମନି ଲଣ୍ଡରିଙ୍ଗ ମାମଲା ରୁଜୁକରିଛି । ଇକବାଲ କାସକରକୁ ଏହି ମାମଲାରେ ଅଧିକ ପଚରାଉଚୁରା କରାଯିବ ।
ବିଭାଗୀୟ ଅଧୀକାରୀ କହିଛନ୍ତି କାସକରକୁ ପିଏମଏଲଏ ଅଦାଲତଙ୍କ ସାମ୍ନାରେ ହାଜର କରାଯିବ। କୋର୍ଟ ଫେବୃଆରୀ ୧୬ରେ କାସକର ବିରୋଧରେ ୱାରେଣ୍ଟ ଜାରି କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ନୂଆ ମାମଲାରେ ଫେରାର ଥିବା ଗ୍ୟାଙ୍ଗଷ୍ଟର ଇବ୍ରାହିମ ଓ ମୁମ୍ବାଇର ଅଣ୍ଡର ୱାର୍ଲଡ ସହିତ ଯଡ଼ିତ ଅନ୍ୟ ଲୋକମାନଙ୍କ ବିଷୟରେ କାସକରକୁ ପଚରାଉଚୁରା କରିବା ଓ ତାକୁ ହେପାଜତରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ।
କାସକର ବିରୋଧରେ ନୂଆ ମାମଲା ରୁଜୁ ହେବାପରେ ଓ ଫେବୃଆରୀ ୧୫ରେ ମୁମ୍ବାଇରେ ଅଣ୍ଡର ୱାର୍ଲଡର ପରିଚାଳନା, ବେଆଇନ ସମ୍ପତ୍ତିର ନେଣଦେଣ କରିବା ଅଭିଯୋଗରେ ଚଢ଼ଉହେବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଇବ୍ରାହିମର ସ୍ୱର୍ଗତା ଭଉଣୀ ହସୀନା ପାରକର, କାସକର ଓ ଗେଙ୍ଗଷ୍ଟର ଛୋଟା ସକିଲର ଭିଣେଇ ସଲିମ କ୍ୟୁରେଶିର ସମ୍ବନ୍ଧିତ ପରିସର ସହିତ ପୁରା ୧୦ଟି ସ୍ଥାନରେ ଚଢ଼ଉ କରାଯାଇଛି । ଇଡି ଚଢ଼ଉ କରିବା ପରେ କ୍ୟୁରେସୀକୁ ପଚରାଉଚୁରା ମଧ୍ୟ କରିଥିଲା । ଇଡି ଏହି ମାମଲା ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନଆଇଏ) ଓ ନିଜର ଗୁଇନ୍ଦା ସୂଚନା ବ୍ୟତିତ ଇବ୍ରାହିମ ଓ ଅନ୍ୟ ଜଣଙ୍କ ବିରୋଧରେ ରୁଜୁ କରାଯାଇଥିବା ଏଫଆଇଆର ଆଧାରରେ କରିଛି । ଏନଆଇଏ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଧାରା ଅଧିନରେ ନିଜ ଆଡ଼ୁ ଅପରାଧିକ ଅଭିଯୋଗ ଦାଖଲ କରିଥିଲା ।
