ସୋମବାର ପଞ୍ଚକ ବ୍ରତ, ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି
ପୁରୀ : ସୋମବାର ଶ୍ରୀମନ୍ଦିରରେ ପାଳନ ହେବ ପଞ୍ଚକ ବ୍ରତ । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଏଥର ପଞ୍ଚୁକ ପ୍ରଥମ ଓ ଶେଷ ଦିନ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ବାରଣ ରହିଛି । ପଞ୍ଚୁକ ଦର୍ଶନ ସୋମବାର ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେଉଛି । ଏହି ଦିନ ବଡ଼ଦେଉଳରେ ବଡ଼ ଏକାଦଶୀ ପାଳନ ହେବ । ଏଥିସହ ଶ୍ରୀମନ୍ଦିରରେ ପାଳନ ହେବ ହରିଉତ୍ଥାପନ ଏକାଦଶୀ । ନଭେମ୍ବର ୧୯ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ରହିଛି । ଏହି ଦିନ ମହାପ୍ରଭୁ ରତ୍ନବେଦିରେ ସୁନାବେଶ ହେବ । ଏହି ଦୁଇ ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିବ । ଭିଡ଼ ନିୟନ୍ତ୍ରଣ ପାଇଁ ଏହି ଦୁଇ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଏନେଇ ରାଜ୍ୟ ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନ ଗତ ମାସରେ ଘୋଷଣା କରଥିଲେ । ଏହି ଦର୍ଶନ କଟକଣାକୁ ଶ୍ରୀମନ୍ଦିର ପ୍ରଶାସନ ଲାଗୁ କରିଛି । ଚଳିତ ନଭେମ୍ବର ୧୪ ରବିବାର ସପ୍ତାହାନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ।
କୋଭିଡ୍ ସଂକ୍ରମଣ ହଟିନଥିିବାରୁ ପ୍ରଶାସନ ଏଭଳି କଟକଣା ଜାରି କରିଛି । ସୋମବାର ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଶ୍ରୀଜଗନ୍ନାଥ ଶ୍ରୀଭୁଜରେ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ର ହଳ , ମୂଷଳ ଧାରଣ କରିବେ । ଶ୍ରୀମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭା ପାଇବ । ୧୫ତାରିଖ ସୋମବାରରୁ ୧୯ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ରହିଛି ପଞ୍ଚୁକ । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । ମୂଲ୍ୟବାନ ସ୍ୱର୍ଣ୍ଣ ଅଳଙ୍କାର, ପାଟବସ୍ତ୍ର ଓ ପୁଷ୍ପମାଲ୍ୟ ପରିଧାନ କରିବେ ଶ୍ରୀବିଗ୍ରହ । ପୁଷ୍ପାଳକ ସେବକମାନେ ଠାକୁରଙ୍କ ବେଶ ସମ୍ପନ୍ନ କରିବେ । ମଙ୍ଗଳବାର ମହାପ୍ରଭୁଙ୍କ ବାଙ୍କଚୁଡ଼ କିମ୍ବା ବାମନ ବେଶ ସହ ଶ୍ରୀମନ୍ଦିରରେ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ବୁଧବାର ଦିନ ଠାକୁରଙ୍କ ତ୍ରିବିକ୍ରମ ବେଶ ଓ ଗୁରୁବାର ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ହେବ । ଶେଷ ଦିନ ୧୯ ତାରିଖ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦାରୁଦିଅଁଙ୍କୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ କରାଯିବ ।
