ମା’ ନା ପିଶାଚ ! ସ୍ୱାମୀଙ୍କ ସହ ଝଗଡ଼ା ପରେ ୬ ଛୁଆଙ୍କୁ କୂଅରେ ଫିଙ୍ଗି ଦେଲା
ରାୟଗଡ : ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । କିନ୍ତୁ ଅନେକ ସମୟରେ ସାମାନ୍ୟ ଯୁକ୍ତିତର୍କ ଉଗ୍ର ରୂପ ନେଇଥାଏ । ମହାରାଷ୍ଟ୍ରର ରାୟଗଡ ଜିଲାରେ ଏଭଳି ଏକ ଅଭାବନୀୟ ଅଘଟଣ ଘଟିଛି, ଯାହାକି ଆପଣଙ୍କର ଲୋମ ଟାଙ୍କୁରି ଉଠିବ । ପତି-ପତ୍ନୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ଉଗ୍ର ରୂପ ନେଇଛି । ରାଗରେ ଜର୍ଜରିତ ମହିଳା ଜଣକ ନିଜର ୬ ସନ୍ତାନଙ୍କୁ କୂଅରେ ଫିଙ୍ଗି ଦେଇଛି । ଏହା ପରେ ମହିଳା ଜଣକ ନିଜେ ଆତ୍ମହତ୍ୟା କରିବାକୁ ଚାହିଁଛି । ୬ ଜଣ ନିଷ୍ପାପ ଶିଶୁଙ୍କର ମୃତ୍ୟୁ ହୋଇଛି ।
ରାୟଗଡ ଜିଲା ମହାଡ ଅଞ୍ଚଳର ଡଲକାଠିରେ ସହାନୀ ନାମକ ମହିଳା ଜଣକ କୌଣସି କଥାକୁ ନେଇ ନିଜ ସ୍ୱାମୀଙ୍କ ସହିତ ଝଗଡ଼ା କରିଥିଲେ । ଝଗଡ଼ା ଯୋଗୁଁ ମହିଳା ଜଣକ ରାଗିଯାଇଥିଲେ । ଏହା ପରେ ସେ ୬ ସନ୍ତାନକୁ କୂଅରେ ଫିଙ୍ଗି ଦେଇଥିଲେ । ପରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମହିଳା ଜଣକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ବେଳେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କୂଅ ଭିତରୁ ୬ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ସ୍ଥାନୀୟ ବିଧାୟକ ଭରତ ଗୋଗାୱଲେ ଘଟଣାସ୍ଥଳକୁ ଯାଇଥିଲେ । ସେ ପୋଲିସକୁ ଏହି ମାମଲାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦେଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
