ମହମ୍ମଦ ଶାମିଙ୍କୁ ଆଶ୍ଵସ୍ତି, ନିର୍ଯାତନା ମାମଲାରେ ମିଳିଲା ଜାମିନ
ନୂଆଦିଲ୍ଲୀ : ଭାରତର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିଶ୍ଵକପ୍ ପୂର୍ବରୁ ବଡ଼ ଆଶ୍ଵସ୍ତି ମିଳିଛି। ମଙ୍ଗଳବାର ପତ୍ନୀଙ୍କୁ ନିର୍ଯାତନା ମାମଲାରେ ମଙ୍ଗଳବାର କୋର୍ଟରୁ ତାଙ୍କୁ ଜାମିନ ମିଳିଛି। ଏହି ମାମଲାରେ ୩୦ ଦିନ ଭିତରେ ଶାମିଙ୍କୁ ଜାମିନ ଦିଆଯିବ ବୋଲି ଏସିଆ କପ୍ ପୂର୍ବରୁ କୋର୍ଟ କହିଥିଲେ। ଭାରତୀୟ ବିଶ୍ଵକପ୍ ଦଳରେ ସାମିଲ୍ ମହମ୍ମଦ ଶାମି ମଙ୍ଗଳବାର କୋଲକାତାର ଅଲୀପୁର ଏସଜିଏମ କୋର୍ଟରେ ହାଜର ହୋଇଥିଲେ ଏବଂ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।। ଏହି ସମୟରେ ଶାମିଙ୍କ ସହ ତାଙ୍କ ଭାଇ ଉପସ୍ଥିତ ଥିଲେ।
ପତ୍ନୀ ନିର୍ଯାତନା ମାମଲାରେ ମହମ୍ମଦ ଶାମି ପ୍ରଥମ ଥର କୋର୍ଟରେ ହାଜର ହୋଇଛନ୍ତି। ନିଜ ଓକିଲଙ୍କ ଜରିଆରେ ଜାମିନ ଆବେଦନ କରିଥିଲେ ଏବଂ ବିଚାରପତି ଆବେଦନ ସ୍ଵୀକାର କରି ଜାମିନ ମଞ୍ଜୁର କରିଛନ୍ତି। ଏବେ ଶାମିଙ୍କୁ ସେପ୍ଟେମ୍ବର ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିବ। ଏହା ପରେ ବିଶ୍ଵକପ୍ରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରିବେ। ମହମ୍ମଦ ଶାମି ନିକଟରେ ସମାପ୍ତ ଏସିଆ କପ୍ ୨୦୨୩ରେ ଭାରତୀୟ ଦଳର ଅଂଶ ଥିଲେ। ଭାରତ ଫାଇନାଲ୍ରେ ଶ୍ରୀଲଙ୍କାକୁ ହରାଇ ଟାଇଟଲ୍ ଜିତିଛି।
ସୂଚନା ଯେ, ଗତ ୨୦୧୮ରେ ଶାମି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ପତ୍ନୀ ହସିନ ଜହାଁଙ୍କ ସହ ବିବାଦ ଉପୁଜିଥିଲା। ପତ୍ନୀ ହସିନା ଫେସବୁକ୍ ଆକାଉଣ୍ଟରେ ଅନେକ ଫଟୋ ଓ ହ୍ଵାଟ୍ସଆପ୍ ସ୍କ୍ରିନସର୍ଟ ସେୟାର କରି ଶାମିଙ୍କ ବିରୋଧରେ ଅନ୍ୟ ଯୁବତୀଙ୍କ ସହ ଅବୈଧ୍ୟ ସଂପର୍କ ରଖିବାର ଅଭିଯୋଗ ଆଣିଥିଲେ। ଏହା ପରେ ସେ ଶାମିଙ୍କ ବିରୋଧରେ ମାରପିଟ୍, ଦୁଷ୍କର୍ମ, ହତ୍ୟା ଉଦ୍ୟମ, ଘରୋଇ ହିଂସା ଓ ମ୍ୟାଚ୍ ଫିକ୍ସିଂ ପରି ଅନେକ ସଙ୍ଗୀନ ଅଭିଯୋଗ ଲଗାଇଥିଲେ। ଏହା ପରଠୁ ଉଭୟ ଅଲଗା ରହିଥିଲେ ଓ କୋର୍ଟରେ ମାମଲା ଚାଲିଥିଲା।
