କରୋନା ସମୟରେ ଭାରତୀୟଙ୍କ ଧ୍ୟାନ ରଖିଥିବାରୁ ଆବୁଧାବିର କ୍ରାଉନ ପ୍ରିନ୍ସଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କ ସହିତ ଭର୍ଚୁଆଲ ଶିଖର ସମ୍ମିଳୀରେ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରାଉନ ପ୍ରିନ୍ସଙ୍କୁ କହିଛନ୍ତି ଆମ ସମ୍ବନ୍ଧକୁ ମଜବୁତ କରିବାରେ ଆପଣଙ୍କ ବ୍ୟକ୍ତିଗତ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । କୋଭିଡ ମହାମାରୀ ସମୟରେ ଆପଣ ଯେପରି ଭାବେ ୟୁଏଇ (ୟୁନାଇଟେଡ ଆରବ ଏମିରେଟସ)ରେ ଥିବା ଭାରତୀୟ ମାନଙ୍କର ଧ୍ୟାନ ରଖିଲେ, ସେଥିପାଇଁ ମୁଁ ଆପଣଙ୍କ ପାଖରେ ସବୁବେଳେ କୃତଜ୍ଞ ହୋଇ ରହିବି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୟୁଏଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଁ କଡ଼ା ନିନ୍ଦା କରୁଛି। ଭାରତ ଓ ୟୁଏଇ ଆତଙ୍କବାଦ ବିରୋଧରେ କାନ୍ଧ ସହିତ କାନ୍ଧ ମିଶାଇ ଛିଡ଼ା ହେବେ।
ସେ କହିଛନ୍ତି ମୁଁ ବହୁତ ଖୁସି କାରଣ ଆମେ ଦୁଇ ରାଷ୍ଟ୍ର ଆଜି ବିସ୍ତୃତ ଅର୍ଥନୈତିକ ଭାଗିଦାରି ଚୁକ୍ତିନାମାରେ ହସ୍ତାକ୍ଷର କରୁଛୁ । ଏହି ମହତ୍ୱପୂର୍ଣ୍ଣ ବୁଝାମଣା ପାଇଁ ଆମେ ୩ମାସରୁ କମ ସମୟ ଭିତରେ ପାରସ୍ପରିକ କଥାବର୍ତ୍ତା କରିପାରିଛୁ, ଏହା ଉଲ୍ଲେଖନୀୟ ବିଷୟ। ସାଧାରଣ ଭାବରେ ଏପରି ବୁଝାମଣା ପାଇଁ ବର୍ଷ ବର୍ଷ ଲାଗିଯାଏ । ସେହିପରି ଏହି ବୁଝାମଣା ଦୁଇ ଦେଶ ମଧ୍ୟରେ ଗଭୀର ବନ୍ଧୁତା, ଦୁରଦର୍ଶିତା ଓ ବିଶ୍ୱାସକୁ ଦର୍ଶାଉଛି । ମୋର ବିଶ୍ୱାସ ଅଛି ଏହାଦ୍ୱାରା ଆମର ଆର୍ଥିକ ସମ୍ବନ୍ଧରେ ଗୋଟିଏ ନୂଆ ଯୁଗ ଆରମ୍ଭ ହେବ ଓ ଆମର ବ୍ୟବସାୟ ଆଗାମୀ ପାଞ୍ଚ ବର୍ଷ ଭିତରେ ୬୦ ମିଲିୟନ ଡଲାରରୁ ବଢ଼ି ୧୦୦ ବିଲିୟନ ଡଲାରରେ ପହଞ୍ଚିବ । ମୋଦୀ କହିଛନ୍ତି ପୂର୍ବମାସ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ ସଫଳ ୟୁଏଇ ଗସ୍ତ ପରେ ଅନେକ ଅମିରାତି କମ୍ପାନୀ ଜମ୍ମୁ-କଶ୍ମୀରରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆମେ ୟୁଏଇ ଦ୍ୱାରା ଜମ୍ମୁ-କାଶ୍ମୀରରେ ସମସ୍ତ ବିଭାଗରେ ନିବେଶକୁ ସ୍ୱାଗତ କରୁଛୁ।
