ବାଲେଶ୍ୱରରେ ସମ୍ଭାବ୍ୟ କୋଭିଡ୍ ମୁକାବିଲା ନେଇ ମକ୍ ଡ୍ରିଲ୍ : ପ୍ରଥମ ପର୍ଯ୍ୟାୟରେ ୨୫ଟି ବେଡ୍ ଓ ଅକ୍ସିଜେନ ସମ୍ପୂର୍ଣ୍ଣ ପ୍ରସ୍ତୁତ
ବାଲେଶ୍ୱର : ବାଲେଶ୍ୱରରେ ସମ୍ଭାବ୍ୟ କୋଭିଡ୍ ମୁକାବିଲା ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ପକ୍ଷରୁ ମିଳିତ ଏକ ମକ୍ ଡ୍ରିଲ୍ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀର ମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା କୋଭିଡ୍-୧୯ ହସ୍ପିଟାଲରେ ବୁଲିବା ବା ସହିତ ଏହାର ସ୍ଥିତି ପରଖିଛନ୍ତି ।
ବିଭିନ୍ନ ରାଜ୍ୟରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମକ ଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଇଥିଲା । ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ବିଭାଗ ଏହି କୋଭିଡ୍ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଜିଲାରେ କୋଭିଡ୍ର ସ୍ଥିତି ସ୍ୱାଭାବିକ ଥିବା ବେଳେ ଏଯାଏଁ କିଏ ଗୁରୁତର ଭାବରେ ସଙ୍କ୍ରମିତ ହୋଇଥିବା ଜିଲା ପ୍ରଶାସନର ନଜରକୁ ଆସି ନାହିଁ ବୋଲି କୁହାଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଥିବା କୋଭିଡ୍ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ୨୫ଟି ବେଡ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଥିବା ବେଳେ ସେଥିପାଇଁ ଅକ୍ସିଜେନ ମଧ୍ୟ ପ୍ରସ୍ତୁତ ହୋଇରହିଛି । ସେହିଭଳି ଭେଣ୍ଟିଲେଟର ସହ ଆବଶ୍ୟକୀୟ ଔଷଧ ମଧ୍ୟ ପ୍ରସ୍ତୁତ ରହିଛି । ଯଦି ଆବଶ୍ୟକ ପଡ଼େ ଅଧିକ ଷ୍ଟାଫ୍ ସହ ୧୦୦ଟି ବେଡ୍ ପ୍ରସ୍ତୁତ କରାଯିବ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ପ୍ରକାଶ କରିଛନ୍ତି ।
