ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମୋ କଲେଜ ଅଭିଯାନର କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ‘ମୋ କଲେଜ ଅଭିଯାନର କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ପାରଦର୍ଶିତା ଲାଭ, ଶିକ୍ଷା, ସଂସ୍କୃତି, କ୍ରୀଡ଼ା, କଳା, ନେତୃତ୍ୱ ଗ୍ରହଣ, ସ୍ୱପ୍ନ ତଥା ଯୋଜନା ପ୍ରସ୍ତୁତି ଓ ସର୍ଜନଶୀଳତା କ୍ଷେତ୍ରରେ ସାକାରତ୍ମକ ଭୂମିକା ସମ୍ପାଦନ, ଦେଶ ତଥା ରାଷ୍ଟ୍ର ଗଠନ ପ୍ରତି ବିଦ୍ୟାର୍ଥୀଙ୍କ ପ୍ରତିଶୃତିବଦ୍ଧତା, ସ୍ୱେଚ୍ଛାସେବୀ ମନୋଭାବ ; ଦକ୍ଷତା, ବ୍ୟକ୍ତିତ୍ୱ ଓ ପ୍ରତିଭା ବିକାଶରେ ସଚେତନ ପ୍ରୟାସ ଓ ପରିଣତି ସର୍ବୋପରି ପରିବେଶ ପ୍ରତି ଦାୟବଦ୍ଧତା , ଡିଜିଟାଲ୍ ସମୟ ଖଣ୍ଡର ବିଶେଷତ୍ୱ ସହିତ ନିଜକୁ ଗତିଶୀଳ ଓ ତ୍ୱରାନ୍ୱିତ କରିବା ଏବଂ ଯୋଗାଯୋଗ କ୍ଷେତ୍ରରେ ନିଜନିଜକୁ କୁଶଳୀ ଓ ପ୍ରବୀଣ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଗୁରୁତ୍ୱ ଦେଇ ମୋ କଲେଜ୍ ଅଭିଯାନକୁ ସଫଳ କରିବାର ବିଭିନ୍ନ ଦିଗ ଉପରେ ଏହି କର୍ମଶାଳାରେ ଆଲୋଚନା କରଯାଇଥିଲା ।
ଏହି ପରିପ୍ରେକ୍ଷୀରେ “ମୋ କଲେଜ୍” ଅଭିଯାନର ସଂଯୋଜକ ଡ. ଦେବଦତ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରାଥମିକ ସ୍ତରରେ ଗୋଟିଏ ସାମୂହିକ ଚେତନାର ପୂର୍ଣ୍ଣତଃ ବିକାଶ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ = ଏ ଦିଗରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ମିଳିତ ଉଦ୍ୟମ ଓ କର୍ତ୍ତବ୍ଯ, ଦାୟିତ୍ୱ ସମ୍ପାଦନରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନର ଗୁରୁତ୍ୱ ଉପଲବ୍ଧି ମୋ କଲେଜ୍ ଅଭିଯାନର ଲକ୍ଷ୍ୟ ; ଏହାଦ୍ୱାରା ଉଭୟ ସାମାଜିକ ପରିସ୍ଥିତି ଓ ଆର୍ôଥକ ସ୍ଥିତି ଦୃଷ୍ଟିରୁ ସମାଜକୁ ସମୃଦ୍ଧ କରିବାର ଅବସର ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ “ମୋ କଲେଜ୍ ଅଭିଯାନ” ଯଥାର୍ଥରେ ନିଜର ସ୍ୱରୂପସ୍ଥିତି ପରିଚିତି ମୂଳକ ଅଭିଯାନ ; ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗୀୟ ବୈଶିଷ୍ଟ୍ୟ ସହିତ ଛାତ୍ରଛାତୀ ପରିଚିତ ହୋଇ ବିଭିନ୍ନ କ୍ଷେତ୍ରରେ ବହୁମୂଖୀ ପ୍ରତିଭା ସମ୍ପନ୍ନ ହେବାର ଆବଶ୍ୟକତା ଓ ପ୍ରାସଙ୍ଗିକତାକୁ ଅନୁଭବ କରିବା ପାଇଁ ଏହି ଅଭିଯାନ ଏକ ଭିତ୍ତିଭୂମି ଯୋଗାଇବା ନିମିତ୍ତ ଉପଯୋଗୀ ଅଟେ ବୋଲି ନିଜର ମତ ରଖିଥିଲେ । କୁଳସଚିବ ଶ୍ରିମତୀ କୁକୁମୀନା ଦାସ ଏକ ଗୌରବମୟ ଓ ସମ୍ମାନ ଜନକ ସ୍ଥିତିରେ ନିଜକୁ ସଂସ୍ଥାପିତ କରିବା ପାଇଁ ମୋ କଲେଜ୍ ଅଭିଯାନ ଛାତ୍ରଛାତ୍ରୀ ସମ୍ମୁଖରେ ଅନେକ ବିକଳ୍ପ ପ୍ରସ୍ତୁତ କରିଛି ; ଏହାଦ୍ୱାରା ବିଦ୍ୟାର୍ଥୀ ଉତ୍ସାହିତ ହୋଇପାରିବେ ବୋଲି ମତ ଦେଇଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୁରାତନଛାତ୍ର ସଂସଦର ସଭାପତି ଡ. ଚୌଧୁରୀ ସତ୍ୟବ୍ରତ ନନ୍ଦ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାତୃଅନୁଷ୍ଠାନ ସହିତ ଯୋଡ଼ି ହୋଇ ରହିବା ପାଇଁ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମୋ କଲେଜ୍ ଅଭିଯାନ ଯୋଜନା ଏକ ବୃହତ୍ତର କ୍ଷେତ୍ର ଯୋଗାଇଛି ; ଏ ଦିଗରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବେଶ୍ ଅଗ୍ରଗତି କରିଛି ବୋଲି ମତ ଦେଇଥିଲେ । ଓଡ଼ିଶା ସରକାରଙ୍କ ମୋ କଲେଜ୍ ଅଭିଯାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ ବ୍ୟକ୍ତିର ସବୁଠାରୁ ଏକ ଅକର୍ଷଣୀୟ ମୁହୂର୍ତ୍ତ ହେଉଛି କଲେଜ୍ ଜୀବନ ; ଏହା ପ୍ରତ୍ୟକ ବ୍ୟକ୍ତିଙ୍କର ଜୀବନର ଏକ ସୁବର୍ଣ୍ଣମୟ ସମୟଖଣ୍ଡ । ନିଜକୁ ଅତୀତ ସହିତ ଯୋଡ଼ି ଭବିଷ୍ୟତ ପାଇଁ ଏକ ଉପଯୁକ୍ତ ମାର୍ଗ ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ ଏହି ମୋ କଲେଜ୍ ଅଭିଯାନ ଯୋଜନା ଆରମ୍ଭ ହୋଇଛି । ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତିକୁ ଆଖି ଆଗରେ ରଖି ପୁରାତନ ଛାତ୍ରଛାତ୍ରୀ କିପରି ନିଜନିଜର ଅନୁଷ୍ଠାନ ପାଇଁ ମୋ କଲେଜ୍ ଅଭିଯାନ ଯୋଜନା ଜରିଆରେ କାର୍ଯ୍ୟ କରିପାରିବେ ଏବଂ ଦେଶ ଗଠନରେ ସକ୍ରୀୟ ଭୂମିକା ଗ୍ରହଣ କରିପାରିବେ ସେ ସମ୍ପର୍କରେ ଶ୍ରୀଯୁକ୍ତ ଦାସନାୟକ ଆଲୋଚନା କରିଥିଲେ । ଶିକ୍ଷାନୁଷ୍ଠାନର ବୌଦ୍ଧିକ, ଉତ୍ପାଦନ ଓ ବିତ୍ତୀୟ ଯୋଗଦାନ ମୋ କଲେଜ୍ ଅଭିଯାନର ଯୋଜନାକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ବୋଲି ସେ ମଧ୍ଯ ମତ ଦେଇଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବୌଦ୍ଧିକ, ଉତ୍ପାଦନ ଓ ବିତ୍ତୀୟ ଅବଦାନକୁ ପ୍ରାଥମିକତା ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ କୃଷି କ୍ଷେତ୍ରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଦୃଷ୍ଟାନ୍ତ ମୂଳକ ପଦକ୍ଷେପମାନ ଗ୍ରହଣ କରିଛି ବୋଲି ପ୍ରକାଶ କରିବା ସହିତ ଶିକ୍ଷାନୁଷ୍ଠାନ ସହିତ ବିଦ୍ୟାର୍ଥୀ ମାନଙ୍କୁ ଏହି ତିନୋଟି ଫର୍ମ୍ ରେ ଯୋଡ଼ିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଥିବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶେଷରେ ପୁରାତନ ଛାତ୍ରସଂସଦ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରାକ୍ତନୀର ଉପସଭାପତି ଡ. ମୀନତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
