5Tରେ ରୂପାନ୍ତରିତ ୬ଟି ସ୍କୁଲର ସମୀକ୍ଷା କଲେ ବିଧାୟକ ସ୍ୱରୂପ ଦାସ
- ଛାତ୍ରଛାତ୍ରୀଙ୍କ ସୁନ୍ଦର ଭବିଷ୍ୟତର ସ୍ଵପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ
ବାଲେଶ୍ୱର : ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁବୁଲାଗଡ଼ି ଗ୍ରାମ ପଞ୍ଚାୟତରେ ଥିବା ୟୁନିୟନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ସଦର ବ୍ଲକର 5T ମାଧ୍ୟମରେ ରୂପାନ୍ତରିତ ହୋଇଥିବା ୬ ଗୋଟି ସ୍କୁଲର ସମୀକ୍ଷା କଲେ ବିଧାୟକ ସ୍ୱରୂପ କୁମାର ଦାସ । ଏହି ଅବସରରେ ବିଧାୟକ ଶ୍ରୀ ଦାସ କହିଥିଲେ ଯେ, ପ୍ରତିଟି ଛାତ୍ରଛାତ୍ରୀ ଅନନ୍ତ ସମ୍ଭାବନାର ପ୍ରତୀକ। ସେମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଥିବା ସ୍ଵପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ। ପିଲାଙ୍କ ସ୍ଵପ୍ନ ସାକାର ହେଲେ ନୂଆ ଓଡ଼ିଶା ଭିତ୍ତି ଭାବରେ ତାହା ବିଚାର କରାଯିବ।
ସେହିପରି ଆଗାମୀ ଦିନରେ ଆଉ ୯ଟି ସ୍କୁଲ 5T ମାଧ୍ୟମରେ ରୂପାନ୍ତରିତ ହେବାକୁ ଯାଉଛି । ଏହାଦ୍ୱାରା ବିଦ୍ୟାଳୟ ଗୁଡିକର ଭିତିଭୁମିର ସୁଦୃଢ କରିବା, ବିଦ୍ୟାଳୟ ସୈାନ୍ଦର୍ଯ୍ୟକରଣ, ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ବିଜ୍ଞାନଗାର, ଖେଳପଡିଆ, ଖେଳସାମଗ୍ରୀ ଓ ବିଭିନ୍ନ ଖେଳର ସୁବିଧା, ପାନୀୟଜଳର ଉପଲବ୍ଧତା, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ଇତ୍ୟାଦି ପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମସ୍ତ 5T ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା ହୋଇଥିଲା। ବୈଠକରେ ସଦର ବ୍ଲକ ବିଡ଼ିଓ ନରେନ୍ଦ୍ର ନାଥ ଖମାରି, ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ସିଆରସି ପ୍ରତାପ ପଣ୍ଡା, ବ୍ଲକ ଶିକ୍ଷା ଅଧିକାରୀ ମିହିର କୁମାର ପ୍ରଧାନ ଏବଂ ସରପଞ୍ଚ ଶୈଳବାଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
