ମାର୍କୋଣା ରାଧାକୃଷ୍ଣପୁର ରାସ୍ତାର ଶିଳାନ୍ୟାସ କଲେ ବିଧାୟକ
୭କୋଟି ୧୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ରାସ୍ତା
ସିମୁଳିଆ : ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୭କୋଟି ୧୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ମାର୍କୋଣା ରାଧାକୃଷ୍ଣପୁର ଭାୟା ବରି ଦେଇ ନିର୍ମାଣ ହେବାକୁ ଥିବା ପିଚୁ ସଡ଼କର ଶିଳାନ୍ୟାସ ରବିବାର ଅପରାହ୍ନରେ କରାଯାଇଛି । ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆନୁଷ୍ଠାନିକ ରୂପେ ବିଭିନ୍ନ ସରପଞ୍ଚ, ସମିତିସଭ୍ୟ ଓ ଜନ ସାଧାରଣଙ୍କ ଉପସ୍ଥିତିରେ ନଡିଆ ଫଟାଇ ଫଳକର ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟ ଚଳିତ ନଭେମ୍ବର ମାସରୁ ଆରମ୍ଭ ହୋଇ ଆସନ୍ତା ୧୭ା୧୦ା୨୩ ମଧ୍ୟରେ ସରିବା ପାଇଁ ସୂଚିତ ଥିବା ବେଳେ ଠିକାଦାର ଶରତ କୁମାର ସାମଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଯୁବସଭାପତି ଗଦାଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସର ଅଧ୍ୟାପକ କୀର୍ତ୍ତନ ବିହାରୀ ଦାଶ, ସମିତିସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ, ବିଭାଗୀୟ ଏସ୍ଡିଓ ଲମ୍ବୋଦର ନାୟକ, ଜିଲା ପରିଷଦ ଉମାକାନ୍ତ ମହାରଣା, ସରପଞ୍ଚ ବିମଳ ଚରଣ ଲେଙ୍କା ପ୍ରମୁଖ ଥିଲେ । ଏଥିସହିତ ବରି ରୁ ଅବଝୁଣା ରାସ୍ତାର ନିର୍ମାଣ କରାଯିବା ପାଇଁ ବିଧାୟକ ଘୋଷଣା କରିଥିଲେ ।
ସୂଚନା ଯେ, ଏହି ରାସ୍ତା ଉପରେ ବିଭିନ୍ନ ୮ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବା ବେଳେ ଏହା ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତକୁ ମଧ୍ୟ ସଂଯୋଗ କରିଛି । ତେବେ ଗତ ୨୦୧୦ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୩କୋଟି ୭୫ଲକ୍ଷ ୯୨ହଜାର ୨୭୩ଟଙ୍କାରେ ଏହି ରାସ୍ତାର ନିର୍ମାଣ କରାଯାଇଥିଲା । ରାସ୍ତା କାର୍ଯ୍ୟ ନିମ୍ନ ମାନର ହେବା ଯୋଗୁଁ ଏହା ଖୁବ୍ ଶୀଘ୍ର ନଷ୍ଟ ହୋଇଯିବାରୁ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା, ଘେରାଉ କରାଯିବା ସହିତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ରାସ୍ତାରୁ ଧୂଳି ଉଡ଼ି ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । ନିମ୍ନ ମାନର ରାସ୍ତା ନିର୍ମାଣ ସମ୍ପର୍କରେ ‘ଧରିତ୍ରୀ’ରେ ଗତ ୧୩ା୭ା୧୫ରେ ‘ନିର୍ମାଣ ସରିନି, ପିଚୁ ଉଠି ଗଲାଣି’ ଶୀର୍ଷକରେ ଖବର ପ୍ରକାଶ ପାଇଥିଲା ।
