୨୦ହଜାର ରନ୍ ପୂରଣ ସହ ଇତିହାସ ରଚିଲେ ମିତାଲି
ମେଲବର୍ଣ୍ଣ : ଭାରତୀୟ ମହିଳା କ୍ରିକେଟ ଟିମର ଦିନିକିଆ ଅଧିନାୟକ ମିତାଲି ରାଜ ଇତିହାସ ସୃଷ୍ଟି କରିଛନ୍ତି। ଆଜି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ମିତାଲି ଦମଦାର ବ୍ୟାଟିଂ କରିଛନ୍ତି। ସେ କ୍ରମାଗତ ୫ମ ଅର୍ଦ୍ଧଶତକ ହାସଲ କରିବା ସହ ନିଜ କ୍ରିକେଟ କ୍ୟାରିୟର୍ରେ ୨୦ ହଜାର ରନ୍ ହାସଲ କରିବାର ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି। ବର୍ତ୍ତମାନ ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ ନଂ ସ୍ଥାନରେ ଥିବା ମିତାଲି ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ୬୧ ରନ୍ର ଇନିଂସ ଖେଳିଛନ୍ତି। ଫଳରେ ଭାରତୀୟ ମହିଳା ଦଳ ନିର୍ଦ୍ଧାରତ ୫୦ ଓଭର୍ରେ ୮ ୱିକେଟ ହରାଇ ୨୨୫ ରନ୍ କରିଛି। ୨୨୬ ରନ୍ର ଟାର୍ଗେଟ ନେଇ ଏବେ ଅଷ୍ଟ୍ରେଲିଆ ମହିଳା ଦଳ ମୈଦାନକୁ ଓହ୍ଲାଇଛି।
ଆଜିର ମ୍ୟାଚ୍ରେ ମିତାଲି ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ତାଙ୍କୁ ଅର୍ଦ୍ଧଶତକ ହାସଲ କରିବା ପାଇଁ ୯୨ଟି ବଲ୍ ଖେଳିବାକୁ ପଡ଼ିଥିଲା। ଏହାପରେ ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ୬୧ ରନ୍ରେ ଆଉଟ ହୋଇଯାଇଥିଲେ। ତେବେ ସେ ଏହି ୬୧ ରନ୍ର ଇନିଂସ ଖେଳି ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ମିତାଲି ତାଙ୍କ କ୍ରିକେଟିଂ କ୍ୟାରିୟର୍ରେ ୨ଥର ପାଇଁ ଏପରି କ୍ରମାଗତ ଭାବେ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ମିତାଲିଙ୍କ ବ୍ୟତୀତ ଇଂଲଣ୍ଡର ଚାର୍ଲୋଟ୍ଟ ଏଡୱାର୍ଡ୍ସ ଓ ଅଷ୍ଟ୍ରେଲିଆର ଏଲିସା ପେରୀ ଏପରି ରେକର୍ଡ କରିବାକୁ ସକ୍ଷମ ହୋଇଛନ୍ତି। ୧୯୯୯ ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିବା ମିତାଲି ଇତି ମଧ୍ୟରେ ୨୧୮ଟି ଦିନିକିଆ ମ୍ୟାଚ୍ ଖେଳି ସାରିଲେଣି। ସେ ଆଜି ତାଙ୍କ କ୍ରିକେଟିଂ କ୍ୟାରିୟର୍ରେ ୨୦ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି। ଶେଷ ୫ ଦିନିକିଆରେ ସେ ଯଥାକ୍ରମେ ୭୯,୭୨,୫୯, ୭୫ ଓ ଆଜିର ମ୍ୟାଚ୍ରେ ୬୧ ରନ୍ର ଇନିଂସ ଖେଳିଛନ୍ତି।
