ସୋସିଆଲ ମିଡିଆରେ ସୁନ୍ଦର ଫଟୋ ଶେଆର୍ କଲେ ଚାନୁ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାରୋତ୍ତୋଳକ ମୀରାବାଈ ଚାନୁ ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ଶେଆର୍ କରିଛନ୍ତି। ପାରମ୍ପରିକ ମଣିପୁରୀ ପୋଷାକରେ ମୀରା ବହୁତ ସୁନ୍ଦର ଲାଗୁଛନ୍ତି। ଫଟୋ ସହ ସେ ଏକ ଖାସ୍ ବାର୍ତ୍ତା ମଧ୍ୟ ଲେଖିଛନ୍ତି। କ୍ୟାପସନରେ ଲେଖିଛନ୍ତି, ନିଜର ପାରମ୍ପରିକ ପୋଷାକ ପିନ୍ଧିବାରେ ସବୁବେଳେ ଖୁସି ରୁହେ। ମିତେଇ ପାରମ୍ପରିକ ପରିଧାନରେ ମୀରାବାଇ ରଙ୍ଗୀନ ସ୍କର୍ଟ ଓ ସୁନ୍ଦର ଏମ୍ବ୍ରୋଡରୀର ଚୁନି ପିନ୍ଧିଛନ୍ତି। ଏହାସହ ମନଲୋଭା ନେକଲେସ୍ ତାଙ୍କର ଲୁକକୁ ସରଳତା ସହିତ ଷ୍ଟାଇଲିସ୍ କରିଛି। ମୀରାବାଈଙ୍କ ମା’ ସାଇଖୋମ୍ ଓଙ୍ଗବୀ, ଟମ୍ବୋ ଦେବୀ ଗାଁରେ ଏକ ଚା’ ଦୋକାନ ଚଳାଉଛନ୍ତି। ସେ କହିଛନ୍ତି ଯେ ଇଥାମ ମୋଇରାଙ୍ଗପୁରେଲ ଅଞ୍ଚଳରୁ ଆସୁଥିବା ଟ୍ରକ୍ ତାଙ୍କ ଗାଁ ଦେଇ ଯିବା ସମୟରେ ଗାଡ଼ିର ଡ୍ରାଇଭରମାନେ ତାଙ୍କ ଦୋକାନରେ ଚା’ ପିଅନ୍ତି। ଏହାରି ଭିତରେ ସେ ମୀରାବାଈଙ୍କୁ ମାଗଣାରେ ଇମ୍ଫାଲ ଯାଏ ନିଅନ୍ତି। ପଦକ ଜିତିବା ପରେ ମୀରାବାଈ ସେହି ଟ୍ରକ୍ ଡ୍ରାଇଭରମାନଙ୍କୁ ଖୋଜି ବାହାର କଲେ ଏବଂ ସେମାନଙ୍କୁ ଉପହାର ମଧ୍ୟ ଦେଇଥିଲେ।
Always happy to be in my traditional outfits. pic.twitter.com/iY0bI69Yh5
— Saikhom Mirabai Chanu (@mirabai_chanu) August 12, 2021
ସୂଚନା ଯେ, ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ମଣିପୁରର ଏହି ୨୬ ବର୍ଷୀୟ ଭାରୋତ୍ତୋଳକଙ୍କର ଦିଲ୍ଲୀରୁ ମଣିପୁର ଯାଏ ଜୋରଦାର ସ୍ୱାଗତ କରାଯାଇଥିଲା। ସଫଳତାର ଶିଖରରେ ପହଞ୍ଚିବା ସତ୍ତ୍ୱେ ଚାନୁ ସେହି ଲୋକମାନଙ୍କୁ ଭୁଲିନାହାନ୍ତି, ଯେଉଁମାନେ ଟ୍ରେନିଂ ବେଳେ ତାଙ୍କୁ ସହାୟତା କରିଥିଲେ। ପୂର୍ବ ଦିନ ସେ ସେହି ଟ୍ରକ୍ ଡ୍ରାଇଭରମାନଙ୍କୁ ଉପହାର ଦେଇଥିଲେ, ଯେଉଁମାନେ ତାଙ୍କୁ ତାଙ୍କ ଗାଁରୁ ଟ୍ରେନିଂ ସେଣ୍ଟରରେ ପହଞ୍ଚାଉଥିଲେ ଏବଂ ଏହାର ପ୍ରତିବଦଳରେ ଟଙ୍କା ନେଉ ନଥିଲେ। ଏହାଦ୍ୱାରା ମିରାବାଈଙ୍କ ବହୁତ ଟଙ୍କା ବଞ୍ଚି ଯାଉଥିଲା। ପଦକ ଜିତିବା ପରେ ସେ ଟ୍ରକ ଡ୍ରାଇଭରମାନଙ୍କୁ ଖୋଜି ବାହାର କରି ତାଙ୍କ ଘରେ ସ୍ୱାଗତ କରିଥିଲେ।
