ନାବାଳିକା ବଳାତ୍କାର ମାମଲା; ଦୋଷୀକୁ ୨୦ବର୍ଷ ଜେଲ୍
ନାବାଳିକାକୁ ୫ଲକ୍ଷ ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ
ବାଲେଶ୍ୱର ଅଫିସ : ବାଲେଶ୍ୱର ଜିଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ମାନ୍ୟବର ବିଚାରପତି ରଞ୍ଜନ କୁମାର ସୂତାର ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଅନାଦେୟ ୨ବର୍ଷ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି । ଏଥିସହିତ କୋର୍ଟ ପୀଡ଼ିତାକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଜିଲା ଲିଗାଲ ଆଇନ୍ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନସ୍ତ କରୁଆ ଅଞ୍ଚଳର ଜଣେ ୪ ବର୍ଷୀୟ ନାବାଳିକାକୁ ତାର ସମ୍ପର୍କୀୟ ଜେଜେବାପା ସଞ୍ଜୟ ଦାସ (୪୨) ଗତ ୨୦୧୯ ସେପ୍ଟେମ୍ବର ୧୭ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ପିଇବା ପାଇଁ ପାଣି ମାଗିଥିଲେ । ନାବାଳିକା ଜଣକ ମା’ଙ୍କ ନିକଟରୁ ପାଣି ଘଟି ନେଇ ଯାଇଥିଲା । ସଞ୍ଜୟ ତାକୁ ଘର ଭିତରକୁ ନେଇ ବଳାତ୍କାର କରିଥିଲା । ନାବାଳିକା ଜଣକ କାନ୍ଦି କାନ୍ଦି ମା’କୁ କହିଥିଲା । ପରେ ଏନେଇ ଗ୍ରାମ ତଥା ପରିବାର ଲୋକଙ୍କୁ ନେଇ ବୈଠକ ବସିଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ନାବାଳିକାକୁ ନେଇ ପରିବାର ଲୋକେ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ଏନେଇ ନାବାଳିକାର ପରିବାର ଲୋକେ ସଞ୍ଜୟକୁ ପଚାରିବାରୁ ସେ ଓଲଟା ଗାଳିଗୁଲଜ ସହ ଧମକ ଦେଇଥିଲା । ପରେ ନାବାଳିକାର ପରିବାର ଲାକେ ସିଂଲା ଥାନାରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ମାମଲା ବାଲେଶ୍ୱର ପୋକ୍ସୋ କୋର୍ଟରେ ବିଚାରଧୀନ ଥିବା ବେଳେ ମଙ୍ଗଳବାର ରାୟ ପ୍ରକାଶ ପାଇଛି । ୧୨ ଜଣ ସାକ୍ଷ୍ୟ ଓ ୧୪ ଦଲିଲ ଦସ୍ତାବିଜ ମୂଳେ ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡରେ ପୋକ୍ସୋ କୋର୍ଟର ମାନ୍ୟବର ବିଚାରପିତ ଶ୍ରୀ ସୂତାର ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ଏହି ମୋକଦ୍ଦମାକୁ ପରିଚାଳନା କରୁଥିଲେ ।
