ଭିଜିଲାନ୍ସ ଜାଲରେ ପଡ଼ିଲା ମୀନ : ଖସିଲା ଭାକୁର ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜସ୍ୱ ସହାୟକ ଗିରଫ
ପୁୁରୀ : ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ ଜିତୁ ରଂଜନ ଛାଟୋଇ ଗୋଟିଏ ଜମିର କିସମ ପରିବର୍ତ୍ତନ କରିବା ପାଇଁ ୫୦ ହଜାର ଟଂକା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି । ପୁରୀ ସଦର ଭାରତୀପୁର ମୌଜାର ଗୋଟିଏ ଜମି କିସମ ପରିବର୍ତ୍ତନ ବାବଦରେ ରମେଶ ମହାପାତ୍ରଙ୍କ ଠାରୁ ଏହି ଉତ୍କୋଚ ଗ୍ରହଣ କରୁଥିଲେ । ସଂପୃକ୍ତ ଜମିର କିସମ ପରିବର୍ତ୍ତନ ପାଇଁ ରାଜସ୍ୱ ନିରୀକ୍ଷକ ୧୫ ହଜାର ଟଙ୍କା ଦର ସ୍ଥିର କରିଥିବାବେଳେ ଏହା ବେଞ୍ଚ ଭାଲୁଏସନରେ ଅଧିକ ହେବ କହି ଶ୍ରୀ ଛାଟୋଇ ଏକ ଲକ୍ଷ ଟଙ୍କା ଦାବି କରୁଥିବାବେଳେ ୫୦ ହଜାର ଟଂକା ଦେଲେ କିସମ ପରିବର୍ତ୍ତନ ହେବ ବୋଲି କଥା ଛିଣ୍ଡିଥିଲା । ଏହି ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍କୁ ଅବଗତ କରିବାରେ ଟିମ୍ ମୌକା ଦେଖି ଏହି ଚଢ଼ାଉ କରିଥିଲେ । କଚେରୀ ଛକରେ ଶହଶହ ଆଇନଜୀବୀ ଓ ମୋହରୀର ମାନେ ଆଲୋଚନା କରୁଛନ୍ତି ଯେ, ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସାଧାରଣ କର୍ମଚାରୀ ଭିଜିଲାନ୍ସ ହାତରେ ପଡ଼ିଥିବା ବେଳେ ବଡ଼ ଭାକୁର ଖସିଯିବା ପାଇଁ କିପରି ସମର୍ଥ ହେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାକୁ ନେଇ ଅନ୍ୟ କାର୍ଯ୍ୟାଳୟ ମାନଙ୍କରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏ ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ୪୧/୨୧-୧୨-୨୨ତାରିଖରେ ଏକ ମାମଲା ରୁଜୁ ହୋଇ ଶ୍ରୀ ଛାଟୋଇଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଟି ଜାଗାରେ ଚଢ଼ଉ ଓ ସଂପତ୍ତି ଆକଳନ କରାଯାଉଛି I
