ମାଣ୍ଡିଆ ଦିବସର ଅଫିସିଆଲ୍ ମାସ୍କଟ ‘ମିଲ୍ଲି’ ଉନ୍ମୋଚନ
ଭୁବନେଶ୍ୱର : ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ମିଲେଟ ମିଶନ ସଫଳତା ହାସଲ କରିଛି । ଏଥିପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚିତ ହୋଇଛି ମିଲେଟ ମିଶନ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନଭେମ୍ବର ୧୦ ମାର୍ଗଶୀର ପ୍ରଥମ ଗୁରୁବାରେ ପାଳନ କରାଯିବ ମାଣ୍ଡିଆ ଦିବସ । ଏଥିପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମାଣ୍ଡିଆ ଦିବସ ପାଇଁ ଅଫିସିଆଲ୍ ମାସ୍କଟ ଉନ୍ମୋଚନ କରାଯାଇଛି। ଏହି ମାସ୍କଟର ନାମ ରହିଛି ମିଲ୍ଲି ।
ଏଣେ ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ୩ ବର୍ଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇ ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା କରାଯାଇଛି ।
ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ ଭାବରେ ମିଲେଟ ଦିବସ ପାଳନ କରିବାକୁ ଯାଉଛି । ଏହି ଉପଲକ୍ଷେ ମାଣ୍ଡିଆର ମହତ୍ତ୍ୱ ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ମାଣ୍ଡିଆ ରଥ ପରିଭ୍ରମଣ କରିବ । ଏଥି ସହିତ ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମ, ସୋସିଆଲ୍ ମିଡିଆ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସ୍ଥିର ହୋଇଛି । ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ହୋଡ଼ିଂ ଲଗାଯିବ । ରାଜ୍ୟର ସମସ୍ତ ୩୦ଟି ଜିଲାରେ ବିଦ୍ୟାଳୟସ୍ତରରେ କୁଇଜ୍ ପ୍ରତିଯୋଗିତା, ଫୁଡ଼୍ ଫେଷ୍ଟିଭାଲ ପ୍ରଦର୍ଶନୀ ଆଦିର ଆୟୋଜନ କରାଯିବ । କୃଷି ଭବନରେ ମଧ୍ୟ ଏକ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯିବ । ଏଥି ସହ ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସଂପ୍ରସାରଣ ଅଧିକାରୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ମାଣ୍ଡିଆ ଦିବସ ଅବସରରେ ରେଷ୍ଟୁରାଣ୍ଟ ଆସୋସିଏସନ୍ ସହଯୋଗରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରସା ଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଚଳିତ ବର୍ଷ ବାଲିଯାତ୍ରା ସହ ଅନ୍ୟ ରାଜ୍ୟସ୍ତରୀୟ ଓ ଜିଲାସ୍ତରୀୟ ମହୋତ୍ସବମାନଙ୍କରେ ମାଣ୍ଡିଆର ବହୁଳ ବ୍ୟବହାର ଓ ପ୍ରଚାରପ୍ରସାର ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
