ପୁରୁଷ ଏସିଆ କପ୍ ହକି : ଜାପାନଠୁ ୨-୫ରେ ହାରିଲା ଭାରତ
ନୂଆଦିଲ୍ଲୀ : ଜାକାର୍ତ୍ତାରେ ଖେଳା ଯାଉଥିବା ପୁରୁଷ ଏସିଆ କପ୍ ହକିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ଡ୍ର ଖେଳିବା ପରେ ମଙ୍ଗଳବାର ଖେଳାଯାଇଥିବା ଦ୍ଵତୀୟ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଜାପାନ ନିକଟରୁ ୨-୫ ଗୋଲରେ ପରାଜିତ ହୋଇଛି। ଏହି ପରାଜୟ ସହ ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି।
ଏହି ପରାଜୟ ସହିତ ଭାରତୀୟ ଦଳ ପୁଲ ଏରେ ତୃତୀୟ ସ୍ଥାନରେ ରହିଛି। ଭାରତ ପୁଲ୍ ଏରେ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୧-୧ରେ ଡ୍ର ଖେଳିଥିଲା। ଦୁଇଟି ମ୍ୟାଚ୍ ପରେ ଭାରତ ଖାତାରେ ମାତ୍ର ଗୋଟିଏ ପଏଣ୍ଟ ମିଳିଛି। ଅନ୍ୟପଟେ ଜାପାନ ଦୁଇଟିରୁ ଦୁଇଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ପାକିସ୍ତାନ ଦୁଇଟି ମ୍ୟାଚ୍ରେ ଚାରି ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ପାକିସ୍ତାନ ମଙ୍ଗଳବାର ନିଜର ଦ୍ଵିତୀୟ ମ୍ୟାଚରେ ଇଣ୍ଡୋନେସିଆକୁ ୧୩-୦ରେ ହରାଇଛି। ଯଦି ଦଳ ପରବର୍ତ୍ତୀ ମ୍ୟାଚରେ ଇଣ୍ଡୋନେସିଆକୁ ହରାଏ ତେବେ ବି ନକଆଉଟ୍ରେ ପହଞ୍ଚିବା ମୁସ୍କିଲ ହୋଇପାରେ। ଜାପାନ ପକ୍ଷରୁ କେନ୍ ନାଗାୟୋଶୀ, କୋସି କାଭାବେ( ଦୁଇ ଗୋଲ୍), ରୟୋମି ଓକା ଏବଂ କୋଜି ୟାମାସାକି ଗୋଲ୍ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ପବନ ରାଜଭର ଏବଂ ଉତ୍ତମ ସିଂହ ଗୋଲ୍ ଦେଇଛନ୍ତି। କୋଚ୍ ସର୍ଦ୍ଦାର ସିଂହଙ୍କ ଯୁବ ଭାରତୀୟ ଦଳ ଜାପାନର ଅଧିକ ସଂଗଠିତ ଦଳ ସାମ୍ନାରେ ବିବଶ ନଜର ଆସିଥିଲେ।
