ବାପାଙ୍କୁ ଦେଲେ ଆଇ ଲଭ୍ ୟୁ ମେସେଜ୍, ପରେ ଏକାଡେମିକ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ମେଡିକାଲ କଲେଜର ତୃତୀୟ ବର୍ଷର ଏମବିବିଏସ ଛାତ୍ର ହିତେଷ୍ଣୁ ଦାସ(୨୨) । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ବାପାଙ୍କୁ ଆଇ ଲଭ୍ ୟୁ ମେସେଜ୍ ଦେବା ପରେ ଛାତରୁ ଡେଇଁ ପଡିଥିବା ସୂଚନା ମିଳିଛି । ତେବେ ପ୍ରକୃତ ଘଟଣା କଣ ରହିଛି ତାହା ଜଣାପଡିନାହିଁ। ଖବରପାଇ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ହିତେଷ୍ଣୁ ଫକୀରମୋହନ ମେଡିକାଲ କଲେଜର ପୁରୁଷ ଛାତ୍ରାବାସର ୩ ନମ୍ବରରେ ରୁମରେ ରହୁଥିଲେ। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ସେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ। ତେବେ ରାତି ସାଢ଼େ ୩ଟା ବେଳେ ସେହି କ୍ୟାମ୍ପସର ୩ଜଣ ଛାତ୍ର ବାଲେଶ୍ୱର ଷ୍ଟେସନକୁ ଆସୁଥିବା ବେଳେ ହିତେଷ୍ଣୁଙ୍କ ମୃତଦେହ ୫ ମହଲା ବିଶିଷ୍ଟ ଏକାଡେମିକ ବିଲ୍ଡିଂ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହା ହତ୍ୟା ନା ଆତ୍ମହତ୍ୟା, ହିତେଷ୍ଣୁ ୫ମହଲା ବିଶିଷ୍ଟ ଛାତ୍ରାବାସ ବିଲ୍ଡିଂରୁ ନଡେଇଁ ଏକାଡେମିକ ବିଲ୍ଡିଂକୁ କାହିଁକି ଗଲେ ସେନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ସେହିପରି ୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ସୂଚନା ଯେ, ହିତେଷ୍ଣୁଙ୍କ ଘର ବାଲେଶ୍ୱର ଜିଲା ସଦର ଥାନା ଅଧିନ ରସାଲପୁର ପଞ୍ଚାୟତ ଭୀମପୁରା ଗ୍ରାମରେ। ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ବାଲେଶ୍ୱର ଜିଲା ପୋଲିସ ମୁଖ୍ୟାଳୟ (ଡିପିଓ)ରେ ମୁଖ୍ୟ କିରାଣି ଭାବେ ଚାକିରୀ କରିଥିଲେ। ନିକଟରେ ସେ ଅବସର ନେଇସାରିଛନ୍ତି। ବାଲେଶ୍ୱର ସହର ଓଟିରୋଡ଼ ସ୍ଥିତ ପୋଲିସ କଲୋନୀର ଇ/୨୫ କ୍ୱାର୍ଟରରେ ତାଙ୍କ ପରିବାର ରହୁଥିବା ଜଣାପଡ଼ିଛି ।
