ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍ ହାର ୯୦.୫୫%
କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତେବେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରଙ୍କର ପାସ ହାର ୮୮.୭୭% ଥିବାବେଳେ ଛାତ୍ରୀଙ୍କର ପାସ ହାର ୯୨.୩୭% ରହିଛି । କଟକ ସ୍ଥିତ ବୋର୍ଡ଼ ମୁଖ୍ୟ କାର୍ଯ୍ୟାଳୟଠାରେ ଆଜି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଓ ଗଣଶିକ୍ଷା ବିଭାଗ ମୁଖ୍ୟ ଶାସନ ସଚିବ ଵିଷ୍ଣୁପଦ ସେଠି, ବୋର୍ଡ ସଭାପତି ରାମାସିସ ହାଜରା, ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ, ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ମାଟ୍ରିକ, ମଧ୍ୟମା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିଥିଲେ ।
ତେବେ ୫ ଲକ୍ଷ ୨୬ହଜାର ୮୧୮ ପିଲା ପରୀକ୍ଷା ଦେଇଥିବାବେଳେ ଏମାନଙ୍କ ମଧ୍ୟରୁ ୯୦.୫୫%ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ବାକି ୮୬୯୯ ଛାତ୍ରାଛାତ୍ରୀ ଫେଲ୍ ହୋଇଛନ୍ତି । ରାଜ୍ୟର ସମୁଦାୟ ୮ ହଜାର ୯୨୫ଟି ବିଦ୍ୟାଳୟର ପିଲା ପରୀକ୍ଷା ଦେଇଥିଲେ । ୧୧୭୦ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୩ଟି ବିଦ୍ୟାଳୟର ରେଜଲ୍ଟ ଶୂନ୍ୟ ରହିଛି । ମାଲକାନଗିରି ଓ ଅନୁଗୁଳ ଜିଲାର ଏହି ତିନିଟି ବିଦ୍ୟାଳୟର କେହି ବି ପିଲା ପାସ କରିନାହାନ୍ତି |
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି । ଛାତ୍ରଙ୍କ ପାସ୍ ହାର ୮୮.୭୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୨.୩୭% ରହିଛି । ତେବେ ୧୧୭୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ସେହିଭଳି ତିନୋଟି ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି । ରେଜଲ୍ଟ ଶୂନ ହୋଇଥିବା ସ୍କୁଲ ମଧ୍ୟରେ ମାଲକାନଗିରିର ୨ଟି ଏବଂ ଅନୁଗୁଳର ଗୋଟିଏ ସ୍କୁଲ ରହିଛି । ତେବେ ଚଳିତ ବର୍ଷ ଏ-୧ ଗ୍ରେଡ୍ରେ ୮୧୧୯ ଛାତ୍ରଛାତ୍ରୀ, ଏ-୨ଗ୍ରେଡ୍ରେ ୫୪ ହଜାର ୮୮୯ ଛାତ୍ରଛାତ୍ରୀ, ବି-୧ ଗ୍ରେଡ୍ରେ ୧ ଲକ୍ଷ ୨୦ ହଜାର ୩୧୨ ଛାତ୍ରଛାତ୍ରୀ, ବି-୨ ଗ୍ରେଡ୍ରେ ୧ଲକ୍ଷ ୪୨ ହଜାର ୫୯୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ମନରେ ଅସନ୍ତୋଷ ଥିଲେ ଆସନ୍ତା ଜୁଲାଇ ୧୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରି-ଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ ।
ସେପଟେ ଦିନ ୨ଟାରେ ପରୀକ୍ଷାଫଳ ବୋର୍ଡ ୱେବ୍ ସାଇଟ୍ www.bseodisha.ac.in ଓ www.bseodisha.nic.inରେ ଉପଲବ୍ଧ ହେବ । ଇଣ୍ଟରନେଟ୍ ସଂଯୋଗ ନ ଥିବା ଅଞ୍ଚଳରେ ଏସ୍ଏମ୍ଏସ୍ ଜରିଆରେ ଫଳାଫଳ ଜାଣିହେବ । ପରୀକ୍ଷାର୍ଥୀମାନେ OR10 ଲେଖି 5676750 ନମ୍ବରକୁ ମେସେଜ୍ କଲେ ପରୀକ୍ଷାଫଳ ଜାଣିପାରିବେ ।
