ବିଭିନ୍ନ ବିଦ୍ୟୁତ୍ ସମସ୍ୟା ନେଇ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଗଣବିକ୍ଷୋଭ
ନୀଳଗିରି : ସିପିଆଇଏମ୍ ନୀଳଗିରି ଆଞ୍ଚଳିକ କମିଟି ତରଫରୁ ଗୁରୁବାର ପୂର୍ବାହ୍ନରେ ନୀଳଗିରି ଉପଖଣ୍ଡ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଦ୍ୟୁତ୍ ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ବରିଷ୍ଠ ନେତା ଯୋଗାନନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଦ୍ୟୁତ ବିଭାଗର ଅଘୋଷିତ ବିଜୁଳି କାଟ୍, ଘରୋଇ କମ୍ପାନୀ ଟାଟା ପାୱାରର ଉପଭୋକ୍ତା ମାରଣନୀତି ଏବଂ ସରକାର କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇବା ସହ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଛାଡ଼ ଓ ଗ୍ରାହକଙ୍କୁ ସଠିକ୍ ବିଲ୍ ପ୍ରଦାନ ଆଦି ପ୍ରମୁଖ ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସିପିଆଇଏମ୍ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ ପାତ୍ର, ରାଜ୍ୟ କମିଟି ସଭ୍ୟ ସିତାଂଶୁ ସେନାପତି ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ଦାବି କରୁଥିଲା ବେଳେ ଘନଘନ ବିଜୁଳି କାଟ୍ ସହିତ ନିରବଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣରେ ସରକାର ଅସଫଳ ବୋଲି ଦାବୀ କରିଛନ୍ତି । ଘରୋଇ କମ୍ପାନୀକୁ ବିଦ୍ୟୁତ୍ ବିଭାଗକୁ ଟେକି ଦେବା ବନ୍ଦ କରିବା ସହିତ ଉପରୋକ୍ତ ସମସ୍ତ ଦାବିକୁ ସରକାର ଗ୍ରହଣ କରନ୍ତୁ ବୋଲି ଦଳ ଦାବି କରିଛନ୍ତି । ନିର୍ମଳ ନାୟକ, ସୁରେଶ ନାୟକ, ସତ୍ୟଜିତ୍ ଦାସ, ଲକ୍ଷ୍ମଣ ସ, ଷ୍ଟାଲିନ ମିଶ୍ର ପ୍ରମୁଖ ସଭାରେ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ । ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଚେତାବନୀ ଦେଇଛନ୍ତି ।
