ଘରୁ ଡାକିନେଇ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ଜିଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ସରପଂଚକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ । କିରଣ୍ଡୁଲ ଥାନା ଠାରୁ ମାତ୍ର ୮ କିଲୋମିଟର ଦୂରରେ ନକ୍ସଲ ଏହି ଖୁନି ଖେଳ ଖେଳିଛନ୍ତି । ହିରୋଲି ପଂଚାୟତର ସରପଞ୍ଚ ଜଗା କୁଞ୍ଜମି ନକ୍ସଲ ହତ୍ୟା କରିଛନ୍ତି ।
ଗତ ତିନିଦିନ ହେଲା ହିରୋଲି ଗ୍ରାମରେ ଯାତ୍ରା ଚାଲିଛି । ବିଭିନ୍ନ ଗ୍ରାମର ଶହଶହ ଲୋକ ଏହି ଯାତ୍ରରେ ରୁଣ୍ଡ ହେବା ସହ ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଏହାସହ ନାଚ ଗୀତର ଅସର ମଧ୍ୟ ଚାଲିଥିଲା । ଜଗା ମଧ୍ୟ ଏହି ନାଚ ଗୀତରେ ମସଗୁଲ ଥିଲା । ଏହି ସମୟରେ ଜଣେ ନକ୍ସଲ ସାଧା ପୋଷାକରେ ଜଗାକୁ ଡାକି ନିକଟସ୍ଥ ଜମିକୁ ନେଇଥିଲା । ସେଠାରେ ପୂର୍ବରୁ ୫୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ନକ୍ସଲ ଉପସ୍ଥିତ ଥିଲେ । ଜଗା ସେଠାରେ ପହଞ୍ôଚବା ମାତ୍ରେ ନକ୍ସଲଙ୍କ ମଧ୍ୟରୁ ଜଣେ ଜଗାର ମୁଣ୍ଡକୁ ଟାଙ୍ଗିଆ ସାହାଯ୍ୟରେ ପ୍ରହାର କରିଥିଲା । ଜଗା ତଳେ ପଡିଯିବା ପରେ ଚାକୁ, ଛୁରୀରେ ହତ୍ୟା କରିଥିଲେ । ଏହାସହ ସେଠାରେ ଏକ ପୋଷ୍ଟର ମଧ୍ୟ ଛାଡିକି ଚାଲି ଯାଇଥିଲେ । ଜଗା ପୁଲିସ ସୂଚନା ଦାତା ବୋଲି ସୂଚାଇ ହତ୍ୟା କରାଯାଇଥିବା କୁହାଯାଇଛି । ଗାଙ୍ଗୁଲୁର ଏରିଆ କମିଟି ତରଫରୁ ଏହି ଘଟଣା ଘଟାଯାଇଥିବା ନେଇ ପୋଷ୍ଟେରରେ ଉଲ୍ଲେଖ ରହିଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।
