ପୋଷ୍ଟର ବ୍ୟାନର ମାରି ଝରିଗାଁ-ଚନ୍ଦାହାଣ୍ଡି ରାସ୍ତା ବନ୍ଦ କଲେ ମାଓବାଦୀ
ନବରଙ୍ଗପୁର : ନବରଙ୍ଗପୁର ଜିଲା ଝରିଗାଁ-ଚନ୍ଦାହାଣ୍ଡି ଘାଟି ରାସ୍ତାରେ ମାଓବାଦୀ ନିଜର ପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କରିବାର ପ୍ରୟାସ କରିଛନ୍ତି। ଉଦନ୍ତୀ ମାଓ ଡିଭିଜିନ ପକ୍ଷରୁ ପୋଷ୍ଟର ଓ ବ୍ୟାନର ମରା ଯାଇ ରାସ୍ତା ଅବେରାଧର କରାଯାଇଛି । ତେଲ ନଦୀ ଉପରେ ପ୍ରସ୍ତାବିତ ଡ୍ୟାମ୍କୁ ବିରୋଧର କରି ପୋଷ୍ଟର ଓ ବ୍ୟାନର ମାରିଛନ୍ତି । ଯାହାଫଳରେ ଉଭୟ ରାସ୍ତାରେ ଯାତାୟତ ଠପ୍ ହୋଇଛି । ପରେ ଚନ୍ଦାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଓ ଲେଖା କାଗଜ ଜବତ କରି ରାସ୍ତା ସଫା କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଏହା ମାଓବାଦୀଙ୍କ କାର୍ଯ୍ୟ ନା କେହି ଦୁର୍ବୁତ୍ତ କାର୍ଯ୍ୟ ତାହା ଉପରେ ଚନ୍ଦାହାଣ୍ଡି ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି। ମାଓବାଦୀଙ୍କ ବ୍ୟାନର ଲଗାଯାଇଥିବା ପ୍ରଚାର ପରେ ସାଧାରଣ ଯାତ୍ରୀ କିଛି ମାତ୍ରାରେ ଭୟଭୀତ ହୋଇପଡ଼ିଛନ୍ତି ।
ସୂଚନା ଯେ, ଶନିବାର ବିଳମ୍ବିତ ରାତ୍ରିରେ ମାଓବାଦୀମାନେ ସିଂଗାଡି ଘାଟି ନିକଟରେ ଗଛ ଓ ଲୁହା ତାର ପକାଇ ରାସ୍ତା ଅବରୋଧ କରି ଏକ ଲାଲ କପଡ଼ାରେ ଲେଖି ତେଲନଦୀରେ ପ୍ରସ୍ତାବିତ ବିଲେଇଲାଟି ପ୍ରକଳ୍ପକୁ ବିରୋଧ କରି ଏହି ପ୍ରକଳ୍ପ ଯୋଗୁଁ ଝରିଗାଁ, ଉମରକୋଟ ଏବଂ ରାଇଘର ବ୍ଲକର ପ୍ରାୟ ୧୦ହଜାର ପରିବାର ବିସ୍ଥାପିତ ହୋଇଯିବେ। ତେଣୁ ଏହି ପ୍ରକଳ୍ପକୁ ବିରୋଧ କରିବା ସହିତ ସାଧାରଣ ଲୋକଙ୍କୁ ଏଯାବତ ସ୍ୱାଧୀନତା ମିଳିନଥିବା ବେଳେ ମିଥ୍ୟା ସ୍ୱାଧୀନତା ଦିବସ ପାଳନ କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି।ଏପରିକି ସାଧାରଣ ଜନତା ଏହି ପୋଷ୍ଟରକୁ ନକାଢିବା ପାଇଁ ଏକ ଧଳା କାଗଜରେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଲେଖା ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା।


