ପାଟଦର୍ହା ଜଙ୍ଗଲରୁ ମାଓକ୍ୟାମ୍ପ ଠାବ : ୫ କେଜି ବିସ୍ଫୋରକ, ୨୦ଟି ଚକୋଲେଟ ବୋମା ଓ ବିପୁଳ ମାଓସାମଗ୍ରୀ ଜବତ
ନୂଆପଡ଼ା : ନୂଆପଡା ପୋଲିସକୁ ବଡ ସଫଳତା । ଛତିଶଗଡ଼ ସୀମାନ୍ତ ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ନଙ୍ଗଲଘାଟ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି । ମାଓ କ୍ୟାମ୍ପରୁ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି ।
କ୍ୟାମ୍ପରେ ସୁରକ୍ଷା ବଳ ଉପରେ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ନୂଆପଡ଼ା ପୋଲିସ ଖବର ପାଇଥିଲା । ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ପାଟଦର୍କା ସଂରକ୍ଷିତ ଜଙ୍ଗଲରେ ଏସଓଜି , ଡିଭିଏଫ ଓ ସିଆରପିଏଫ ଜବାନଙ୍କ ମିଳିତ କମିଂ ଅପରେସନ ଆରମ୍ଭ କରିଥିଲେ । କମ୍ବିଂ ଅପରେସନ୍ ସମୟରେ ଜଙ୍ଗଲରୁ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ଏହି ମାଓ କ୍ୟାମ୍ପରୁ ୫ କେଜି ବିସ୍ଫୋରକ, ୨୦ଟି ଚକୋଲେଟ ବୋମା, ପ୍ଲାଷ୍ଟିକ ଜାର ସହ ଅନେକ ରୋଷେଇ ସାମଗ୍ରୀ ଜବତ ହୋଇଛି । କିନ୍ତୁ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ସେପଟେ ସୁରକ୍ଷାବାହିନୀଙ୍କ ପକ୍ଷରୁ ଜଙ୍ଗଲରେ ବର୍ତ୍ତମାନ ବି କମ୍ବିଂ ଅପରେସନ୍ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ନୂଆପଡା ଏସପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ।
