ବୋହୁ ନିର୍ଯାତନାର ସମାଧାନ କରିବାକୁ ଯାଇ ଆକ୍ରମଣର ଶିକାର : ୩ ଗୁରୁତର, ୩ ଅଟକ
ବସ୍ତା : ବସ୍ତା ଥାନା ଗାଙ୍ଗୁଡା ଗ୍ରାମରେ ଜଣେ ବୋହୁ ପାରିବାରିକ ନିର୍ଯାତନା ଶିକାର ହେଉଥିବା ବେଳେ ବାପଘରୁ ଭେଣେଇ, ମଉସା ସମାଧାନ କରିବାକୁ ଆସି ଜ୍ୱାଇଁ ଏବଂ ତାଙ୍କର ଭାଇଙ୍କ ଆକ୍ରମଣରେ ଝିଅ ସମେତ ୩ ଗୁରୁତର ହୋଇଛନ୍ତି । ସେମାନେ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନା ଅନୁସାରେ ସିଙ୍ଗଲା ଥାନା କଷାଫଳ ଗ୍ରାମର ନିତ୍ୟାନନ୍ଦ ସାମନ୍ତଙ୍କ ଝିଅ ଜ୍ୟୋତ୍ସା ରାଣୀ ବସ୍ତା ଥାନା ଇଡ଼ଦା ପଞ୍ଚାୟତର ଗାଙ୍ଗୁଡା ଗ୍ରାମର ନାରାୟଣ ମାଝୀଙ୍କ ପୁତ୍ର ଗୁରୁପଦ ମାଝୀକୁ ପ୍ରେମ ବିବାହ କରିଥିଲେ । ବିବାହର ୩ ବର୍ଷ ମଧ୍ୟରେ ଜ୍ୟୋତ୍ସ୍ନା ରାଣୀକୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏନେଇ ଝିଅର ବାପା ଗ୍ରାମରେ ଏବଂ ପଞ୍ଚାୟତରେ ବାରମ୍ବାର ବିଚାର କରାଇ ସମାଧାନ କରାଇ ଆସୁଥିଲେ । ତେବେ ସକାଳ ସମୟରେ ଝିଅର ବାପା ଜ୍ୱାଇଁକୁ ଫୋନ୍ ଦ୍ୱାରା ନିମନ୍ତ୍ରଣ କରିବାକୁ ନେଇ ଜ୍ୱାଇଁ ଝିଅକୁ ପ୍ରବଳ ମାଡ଼ ମାରିଥିଲେ ଏବଂ ଝିଅର ବେକକୁ ଦଉଡ଼ିରେ ଚାପି ଧରି ଜୀବନରୁ ମାରିଦେବେ ବୋଲି ଶ୍ୱଶୁରକୁ କହିବା ପରେ, ଖବର ଶୁଣି ଝିଅର ମଉସା ମଧୁସୂଦନ ଖଟୁଆ ଏବଂ ଭିଣୋଇ ସୁରେଶ ମାନ୍ନା ଗ୍ରାମର କିଛି ଲୋକଙ୍କୁ ନେଇ ଝିଅ ଘରେ ପହଞ୍ଚିବା ପରେ ଜ୍ୱାଇଁ ଗୁରୁପଦ ଏବଂ ତାଙ୍କର ଭାଇ କାଳୀପଦ ହଠାତ୍ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଝିଅ ସମେତ ସେମାନଙ୍କୁ ଉଦ୍ଧାର କରି ବସ୍ତା ଥାନାକୁ ଖବର ଦେଇ ମେଡିକାଲ ପଠାଇଥିଲେ । ତେବେ ମେଡିକାଲରେ ମଧୁସୂଦନ ଏବଂ ସୁରେଶଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତର୍ଜମା କରି ଆକ୍ରମଣକାରୀ ଦୁଇ ଭାଇ ଗୁରୁପଦ ମାଝୀ ଓ କାଳୀପଦ ମାଝୀ ଏବଂ ମା’ ଲକ୍ଷ୍ମୀମଣି ମାଝୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।
