ସିବିଆଇରେ ହାଜର ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେଲେ ମନୀଷ ସିସୋଦିଆ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ଜାରି କରିଛି । ଆଜି ପଚରାଉଚରା ପାଇଁ ହାଜର ହେବାକୁ ସିସୋଦିଆଙ୍କୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ସକାଳେ ମନୀଷ ସିସୋଦିଆ ଜେରାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତି କରିବା ଆଗରୁ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମା’ଙ୍କ ଆଶୀର୍ବାଦ ଗ୍ରହଣ କରିବା ପରେ ସିସୋଦିଆ ପ୍ରସାଦ ସେବନ କରୁଥିବା ଦୃଶ୍ୟ ଫଟୋରେ ଦେଖାଯାଉଛି। ଆଜି ଦିବା ୧୧ଟାରେ ‘ସିବିଆଇ’ ମୁଖ୍ୟାଳୟରେ ହାଜର ହେବା ପାଇଁ ବାହାରିଯିବା ଆଗରୁ ସେ ଆତିଶି ଏବଂ ସଞ୍ଜୟ ସିଂହଙ୍କ ସମେତ ଦଳର ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଭେଟିଛନ୍ତି।
ସାମ୍ବାଦିକମାନଙ୍କ ସହିତ ଆଳାପ କରିବା ବେଳେ ସେ କହିଛନ୍ତି, ସେମାନେ ମତେ ଗିରଫ କରିବେ। ପ୍ରଥମେ ସେମାନେ ମୋ ଘରେ ଚଢ଼ଉ କଲେ। କିଛି ପାଇଲେ ନାହିଁ। ତା’ପରେ ମୋ ବ୍ୟାଙ୍କ୍ ଲକର୍ ତଲାସ କଲେ। ମାମଲା ମିଥ୍ୟା ବୋଲି ଜାଣି ସୁଦ୍ଧା ପଚରାଉଚରା କରିବା ଲାଗି ସେମାନେ ମୋ ଗାଁକୁ ଯାଇଥିଲେ। ସେହିପରି ଗୁଜରାଟ ନ ଛାଡ଼ିବା ଲାଗି ସେମାନେ ମତେ ଗିରଫ କରିବାକୁ ଚାହୁଁଛନ୍ତି। ସେଠାରେ ‘ବିଜେପି’ ଭୟଭୀତ ହୋଇଯାଇଛି। ଯେତେ ଥର ମୁଁ ଗୁଜରାଟ ଯାଇଛି, ସେଠାକାର ସ୍କୁଲ୍ ସବୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖିଛି। ଗୁଜରାଟ ଜନତାଙ୍କର ଆମ ପ୍ରତି ବିଶ୍ବାସ ଅଛି। ‘ବିଜେପି’ ଗୁଜରାଟ ହରାଇବ। ସେମାନେ ମତେ ଜେଲ୍ରେ ଭର୍ତ୍ତି କଲେ ବି ନିର୍ବାଚନ ଜିଣି ପାରିବେ ନାହିଁ। ଗୁଜରାଟର ପ୍ରତ୍ୟେକ ବ୍ୟକ୍ତି ପରିବର୍ତ୍ତନ ନିମନ୍ତେ ସଂଗ୍ରାମ ଚଳାଇଛନ୍ତି ବୋଲ ସେ କହିଛନ୍ତି।
