ମନୀଷ ଅନୁରାଗ ମୃତ୍ୟୁ ମିଷ୍ଟ୍ରି : ଆସନ୍ତାକାଲି ଠାରୁ ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଗିରଫ ୩ ଅଭିଯୁକ୍ତ ଆସନ୍ତାକାଲି ଠାରୁ ୪ ଦିନ ପାଇଁ ରିମାଣ୍ଡରେ ଯିବେ । ରିମାଣ୍ଡରେ ବେବା ପାଇଁ ଜେଏମଏଫସି କୋର୍ଟଙ୍କ ଅନୁମତି ମିଳିଛି । କ୍ରାଇମ ସ୍କିନ୍ର ସତ ଜାଣିବା ପାଇଁ ରିମାଣ୍ଡରେ ନେବ ପୋଲିସ । ତେବେ ଇନଫୋସିଟି ଥାନା ପୋଲିସ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା । ମାତ୍ର କୋର୍ଟ ୪ ଦିନିଆ ରିମାଣ୍ଡ ପାଇଁ ଅନିମତି ଦେଇଛନ୍ତି । ମନୀଷଙ୍କ ମୃତ୍ୟୁ ମାମଲାରେ ଅମ୍ରିତ ପ୍ରୀତମ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର ଗିରଫ ହୋଇଛନ୍ତି । ତେବେ ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ପାଟିତୁଣ୍ଡ ପରେ ହାତାହାତିରେ ମନୀଷଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।
ସୂଚନା ଯେ, ଗତ ୯ ତାରିଖ ଅପରାହ୍ନ ୪ଟା ବେଳେ ମନୀଷ ଅନ୍ୟ ଦିନ ଭଳି ପଟିଆରେ ଥିବା ତାଙ୍କ ସାଙ୍ଗ ତାପସର ଗୁଆଭା ସପ୍କୁ ଯାଇଥିଲେ। ସେଠାରେ ବସିଥିବା ବେଳେ ପୁରୁଣା ବନ୍ଧୁ ଅମ୍ରିତ ପ୍ରୀତମ ବିଶ୍ବାଳ ତାଙ୍କୁ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ। ମନୀଷଙ୍କ ବାହାଘରକୁ ଆଉ ଅଳ୍ପ ଦିନ ବାକିଥିବାରୁ ତାଙ୍କୁ ବ୍ୟାଚେଲର୍ ପାର୍ଟି ଦେବାକୁ କହିଥିଲେ। ମନୀଷ ପାର୍ଟି ଦେବାକୁ ରାଜି ହେବାରୁ ଅମ୍ରିତ ତାଙ୍କ ସିଆଜ୍ କାର୍ରେ ତାଙ୍କର ଦୁଇ ବନ୍ଧୁ ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ନେଇ ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଗୁଆଭା ସପ୍ରେ ପହଞ୍ଚିଥିଲେ। ଏହା ପରେ କାର୍ରେ ସମସ୍ତେ ଲକ୍ଷ୍ମୀସାଗରସ୍ଥିତ ଏକ ହୋଟେଲକୁ ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ପାତ୍ରପଡ଼ାସ୍ଥିତ ହୋଟେଲ୍ ସାଉଥ୍ସିଟିକୁ ଆସିଥିଲେ। ଚାରି ଜଣ ମିଶି ଦୀର୍ଘ ସମୟ ଧରି ସେଠାରେ ଖିଆପିଆ ଓ ମଉଜମସ୍ତି କରିବା ପରେ ରାତି ପ୍ରାୟ ୨ଟା ୩୦ ବେଳକୁ ହୋଟେଲ୍ କର୍ତ୍ତୃପକ୍ଷ ଖାଦ୍ୟପେୟ ବାବଦକୁ ବିଲ୍ ମାଗିଥିଲେ। ବିଲ୍ର ପରିମାଣ ଦେଖି ମନୀଷ ବିରକ୍ତ ହୋଇଥିଲେ ଏବଂ ଏତେ ଟଙ୍କା ସେ ଦେଇ ପାରିବେନି ବୋଲି କହିଥିଲେ। କିନ୍ତୁ ଯେହେତୁ ମନୀଷ ବ୍ୟାଚେଲର ପାର୍ଟି ଦେଉଥିଲେ, ସେଥିପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ମନୀଷଙ୍କୁ ଦେବାକୁ ପଡ଼ିବ ବୋଲି ଅମ୍ରିତ ଓ ତାଙ୍କର ୨ସାଙ୍ଗ କହିଥିଲେ। ଏଥିରେ ମନୀଷ ରାଜି ନ ହେବାରୁ ସେମାନଙ୍କର ମଧ୍ୟରେ ବଚସା ହୋଇଥିଲା। ଏହା ପରେ ମନୀଷ ବାଧ୍ୟ ହୋଇ ଘରକୁ ଫୋନ୍ କରି ତାଙ୍କୁ କେତେଜଣ ଅପହରଣ କରି ନେଇଛନ୍ତି କହି ଟଙ୍କା ମାଗିଥିଲେ। ଏହା ଶୁଣିବା ପରେ ମନୀଷଙ୍କ ମା’ ୨ଟି ପର୍ଯ୍ୟାୟରେ ୮ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଥିଲେ। ମନୀଷ ଏହି ଟଙ୍କା ହୋଟେଲ ବିଲ୍ ବାବଦକୁ ପୈଠ କରିଥିଲେ ମଧ୍ୟ ପୂରା ଟଙ୍କା ଦେବାକୁ ନେଇ ସେମାନଙ୍କ ଭିତରେ ହୋଟେଲ ବାହାରେ ମଧ୍ୟ ଝଗଡ଼ା ହୋଇଥିଲା। ରାତି ପ୍ରାୟ ୩ଟା ୨୯ରେ ମନୀଷ ହୋଟେଲ୍ରୁ ବାହାରି ଘରକୁ ଯାଉଥିବା ବେଳେ ଅମ୍ରିତ, ଲିଟୁ ଓ ମୁନ୍ନା ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଦୌଡ଼ାଦୌଡ଼ି, ଧସ୍ତାଧସ୍ତି ଭିତରେ ମନୀଷଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ମନୀଷଙ୍କ ମୃତଦେହ ଲୁଚାଇବା ପାଇଁ ୩ ଅଭିଯୁକ୍ତ ନମ୍ରକାନି ପୋଖରୀରେ ଫୋପାଡ଼ି ଦେଇ ଚମ୍ପଟ ମାରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୬୪, ୩୦୨, ୨୦୧ରେ ମାମଲା ରୁଜୁ ହୋଇଛି ।
