ମଣିପୁର ବିଧାନସଭା ନିର୍ବାଚନ-୨୦୨୨ : ସରିଲା ଅନ୍ତିମ ପର୍ଯ୍ୟାୟ ମତଦାନ
ଇମ୍ପାଲ: ମଣିପୁର ବିଧାନସଭା ନିର୍ବାଚନ ୨୦୨୨ ଲାଗି ମାର୍ଚ୍ଚ ୫ ତାରିଖ ଶନିବାର ଶେଷ ହୋଇଛି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ଥାଉବେଲ, ଚନ୍ଦେଲ, ଉଖରୁଲ, ତାମଙ୍ଗଲୋଙ୍ଗ, ଜିରିବାମ ପ୍ରଭୃତି ଜିଲ୍ଲାର ୨୨ ଆସନରେ ହୋଇଥିଲା ମତଦାନ। ମୋଟ ୧୨୪୭ ମତଦାନ କେନ୍ଦ୍ରରେ ହୋଇଥିଲା ଭୋଟଗ୍ରହଣ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏଠାରେ ୭୬.୦୪% ମତଦାନ ହୋଇଥିବା ଜଣାପଡିଛି।
ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଦଳର ମୋଟ ୯୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ମଣିପୁର ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୨୮ ଫେବୃଆରୀରେ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବା ପୂର୍ବରୁ ରାଜ୍ୟର ୧୨ ମତଦାନ କେନ୍ଦ୍ରରେ ପୁନର୍ବାର ମତଦାନ କରାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ। ଗତ ୨୮ ଫେବୃଆରୀରେ ଏହି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଥିଲା ଭୋଟଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୩୮ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୨ ଆସନ ଲାଗି ହୋଇଥିଲା ଭୋଟଗ୍ରହଣ। ମତଦାନ ପୂର୍ବରୁ ମଣିପୁର ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତ ହୋଇଥିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଥିଲେ ନିର୍ବାଚନ ଆୟୋଗ। ଏନେଇ ହୋଇଥିବା ପରିବର୍ତ୍ତନ ଅନୁସାରେ ଏହି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ୨୮ ଫେବୃଆରୀରେ ପ୍ରଥମ ଏବଂ ୫ ମାର୍ଚ୍ଚରେ ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ।
ହେଲେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୨୦୨୨ ମଣିପୁର ବିଧାନସଭା ନିର୍ବାଚନ ଲାଗି ୨୭ ଫେବୃଆରୀରେ ପ୍ରଥମ ଏବଂ ୩ ମାର୍ଚ୍ଚରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ନିଷ୍ପତ୍ତି ନେଇଥିଲେ ନିର୍ବାଚନ ଆୟୋଗ। ମୋଟ ୬୦ ଆସନ ବିଶିଷ୍ଟ ମଣିପୁରରେ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଆଉ ମାର୍ଚ୍ଚ ୧୦ ତାରିଖ ପ୍ରକାଶ ପାଇବ ବିଧାନସଭା ନିର୍ବାଚନ ଫଳାଫଳ। ପୂର୍ବୋତ୍ତର ରାଜ୍ୟ ମଣିପୁରରେ ୨୦୧୭ ବିଧାନସଭା ନିର୍ବାଚନ ଲାଗି ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ମତଦାନ।
