ମମିତା ମେହେର ହତ୍ୟାକାଣ୍ଡ : ଆଜି ସରିବ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି
କଳାହାଣ୍ଡି : ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ଆଜି ଶେଷ ହେବାକୁ ଯାଉଛି । ୫ ଦିନିଆ ରିମାଣ୍ଡରେ ନେଇଥିବା କଳାହାଣ୍ଡି ପୋଲିସ୍ ରିମାଣ୍ଡ ସମୟ ମଧ୍ୟରେ ଅନେକ ପ୍ରମାଣ ଯୋଗାଡ କରିଥିବା ସୂଚନା ମିଳିଛି । ତେବେ ପ୍ରଥମେ ରିମାଣ୍ଡର ପ୍ରଥମ ଦିନରେ କେମିତି ଜହ୍ଲାଦ ଗୋବିନ୍ଦ ସାହୁ ମମିତା ମେହେରଙ୍କ ହତ୍ୟା କରିଥିଲା ତାର ସିନ୍ ରିକ୍ରିଏସନ୍ କରିଥିଲା । ଏହାପରେ ଅଧିକ ତଦନ୍ତ ଜାରି ରହିଥିଲା । ଏପଟେ ରବିବାର ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ଗୋବିନ୍ଦ ସାହୁ ଡାଇବେଟିସ୍ ରୋଗୀ ହୋଇଥିବାରୁ ନିୟମ ଅନୂଯାଇ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସୋମବାର ଗୋବିନ୍ଦ ସାହୁକୁ କୋର୍ଟରେ ହାଜର କରାଯିବ ।
ତେବେ ଗୋବିନ୍ଦ କୁ ଏସପି ଙ୍କ କାର୍ଯ୍ୟାଳୟ ଠାରୁ କଡା ସୁରକ୍ଷା ଭିତରେ ରିଜର୍ଭ ପୋଲିସ ବାରାକକୁ ସ୍ଥାନାନ୍ତର କରାଯାଇଛି । ୪ଦିନ ଧରି ଏସପି ଅଫିସରେ ମାରାଥନ ଜେରା ପରେ ରିଜର୍ଭ ପୋଲିସ ବାରେକକୁ ସ୍ଥାନାନ୍ତର କରାଯାଇଛି। ତେବେ ରିମାଣ୍ଡର ଶେଷ ଦିନରେ କାହିଁକି ବାରକ୍ କୁ ଅଣାଗଲା ତାହା ଅସ୍ପଷ୍ଟ। ହତ୍ୟାକାଣ୍ଡ ସ୍ଥଳ ମହାଲିଙ୍ଗ ଷ୍ଟାଡିୟମରେ ସିନରିକ୍ରିଏସନ କରିଛି ଗୋବିନ୍ଦ। ତେବେ ମାଷ୍ଟର ପ୍ଲାନ କରି ମମିତା ମେହରଙ୍କୁ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଅନ୍ୟପଟେ ଗୋବିନ୍ଦ ସାହୁ ସବୁ ସତ କଥା ମାନିଥିବା ବେଳେ ତାକୁ ଫାଶି ଦଣ୍ଡ ଦିଆଯାଉ ବୋଲି ମମିତାଙ୍କ ପରିବାର ଦାବି ଜଣାଇଛନ୍ତି । ଏହି ମାମଲାକୁ ନେଇ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଗୋବିନ୍ଦ ସାହୁକୁ କଣ ଦଣ୍ଡ ମିଳିବ ତା ଉପରେ ପୁରା ରାଜ୍ୟ ବାସୀଙ୍କ ନଜର ରହିଛି ।
