ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣି ଅନୁଷ୍ଠିତ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହ ମଧ୍ୟରେ ମଙ୍ଗଳବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ବିଡ଼ିଓ ଲଳିତ ସରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ବାଲେଶ୍ୱର ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ରବିନ୍ଦ୍ର ମଲ୍ଲିକ ମୁଖ୍ୟଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ କହିଥିଲେ ସମସ୍ତ ଯୋଜନା ସଫଳତା ପାଇଁ ନିର୍ବାଚିତ ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କ ମିଳିତ ସହଯୋଗ ଆବଶ୍ୟକ ରହିଛି । ପ୍ରତ୍ୟେକ ପ୍ରକଳ୍ପ କର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସମସ୍ତ ଜନସାଧାରଣ ପ୍ରକଳ୍ପ ବିଷୟରେ ଜାଣିବା ଦରକାର । ତାହେଲେ ଯାଇ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବ ବୋଲି କହିଥିଲେ । ବ୍ଲକ ସହକାରୀ ପ୍ରୋଗ୍ରାମ ଅଫିସର ସୌମ୍ୟ ଦାସ ଗତ ୨୦୨୦-୨୧ ଆର୍ôଥକ ବର୍ଷରେ ମନରେଗା ଯୋଜନାରେ ବାଲିଆପାଳ ବ୍ଲକର ହୋଇଥିବା କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରିଥିଲେ । ବ୍ଲକ ଅଭିଯୋଗ ଶୁଣାଣି କମିଟିର ସଦସ୍ୟ ବିଶ୍ୱାସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ସାହୁ, ମୁରଲୀ ମୋହନ ସାହୁ, ବିଜୟ ଗିରି ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରିଥିଲେ । ଅଭିଯୋଗ ଶୁଣାଣିରେ ସାଉଡ଼ି ପଞ୍ଚାୟତର ଗୋଟିଏ ପ୍ରକଳ୍ପ ନାମରେ ୫ଥର ଏବଂ ଅନ୍ୟ ଏକ ପ୍ରକଳ୍ପ ନାମରେ ୩ ଥର ବିଲ୍ କରାଯାଇ ଅର୍ଥ ହରିଲୁଟ କରାଯାଇଥିବା ସରପଞ୍ଚ ଓ ବହୁ ଜବକାର୍ଡ଼ଧାରୀ ଓ ଜନସାଧାରଣ ଅଭିଯୋଗ କରିଥିଲେ ।
ସେହିପରି ମଧୁପୁରା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ହୋଇ ନଥିବା ନେଇ ସମିତି ସଦସ୍ୟ ସୁଶାନ୍ତ ସେଠୀ ଅଭିଯୋଗ କରିଥିବା ବେଳେ ମଧୁପୁରା ପଞ୍ଚାୟତର ଜିଆର୍ଏସ୍ ଗୌତମ ଜେନା ଦଶ ପନ୍ଦର ଜଣଙ୍କ ଉପସ୍ଥିତିରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶେଷ ହୋଇଥିବା କଥା କହିଥିଲେ । ଏହା ଛଡ଼ା ବିଗତ ଦିନରେ ମଧୁପୁରା ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ପ୍ରକଳ୍ପ ନାଁ ରେ ହରିଲୁଟ୍ କରାଯାଇଥିବା କଥା ସମିତି ସଦସ୍ୟ ଶ୍ରୀ ସେଠୀ ଅଭିଯୋଗ କରିଥିଲେ । ସେହିପରି ବିଷ୍ଣୁପୁର ପଞ୍ଚାୟତର ଇକଡ଼ପାଳ ଗ୍ରାମର ବନମାଳି ନାୟକ ୯୦ ଦିନ କାର୍ଯ୍ୟ କରି ମଜୁରୀ ଟଙ୍କା ପାଇ ନ ଥିବା ଅଭିଯୋଗ କରି କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ । ଜବ କାର୍ଡ଼ ନଥାଇ ବହୁ ଲୋକ କାମ କରି ମଜୁରୀ ପାଇବାରୁ ବଞ୍ôଚତ ଥିବା ନେଇ ବହୁ ଅଭିଯୋଗ ହୋଇଛି । ଏପିଡ଼ି ଶ୍ରୀ ମଲ୍ଲିକ ସବୁ ଅଭିଯୋଗ ସମାଧାନ କରିବାର ପ୍ରତିଶ୍ରୁତି ଦେବା ସହିତ ଯାହାର ଜବ କାର୍ଡ଼ ନାହିଁ ସେମାନଙ୍କର ସଙ୍ଗେସଙ୍ଗେ କାର୍ଡ଼ ପ୍ରସ୍ତୁତି ହୋଇପାରିବ ବୋଲି ନିୟମ ଥିବାବେଳେ ଲୋକଙ୍କର କାର୍ଡ଼ କରାନଯାଇ ଅନ୍ୟ କାର୍ଡ଼ଧାରୀଙ୍କ ଏକାଉଣ୍ଟ୍ କୁ ଟଙ୍କା ଦିଆଯାଉ ଥିବାରୁ ଏହାର ତଦନ୍ତ ଆବଶ୍ୟକ ବୋଲି କହୁଥିଲେ । ବାଲିଆପାଳ ବ୍ଲକ ସାମାଜିକ ସମୀକ୍ଷକ ସଞ୍ଜୀବ କୁମାର ଜେନା, ବିଭିନ୍ନ ପଞ୍ଚାୟତ ଦାୟିତ୍ୱରେ ଥିବା ଭିଆରପି, ଜିଆରଏସ, ସରପଞ୍ଚ, ସମିତି ସଦସ୍ୟ, ଗାଁ ସାଥି ମାନେ ଜନଶୁଣାଣିରେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ କରିଥିଲେ ।
