ମହାରାଷ୍ଟ୍ର ରାଜନୈତିକ ସଙ୍କଟ : ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ପହଞ୍ଚିଛି ମହାରାଷ୍ଟ୍ର ରାଜନୀତି । ଉପ-ବାଚସ୍ପତିଙ୍କ ନୋଟିସ ଉପରେ ରହିତାଦେଶ ପାଇଁ ଏକନାଥ ସିନ୍ଧେ ଗୋଷ୍ଠୀ ପକ୍ଷରୁ ହୋଇଛି ଆବେଦନ । ଏହି ପରିପ୍ରେକ୍ଷୀରେ ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାରଦିବାଲାଙ୍କ ଖଣ୍ଡପୀଠ ଏହି ମାମଲର ଶୁଣାଣି କରିବେ ବୋଲି ଜଣାପଡିଛି।
ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଏବଂ ସେନାର ଅନ୍ୟ ୧୫ ବିଧାୟକଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଉପବାଚସ୍ପତି ସେମାନଙ୍କ ନିକଟକୁ ନୋଟିସ ପଠାଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଏହାର ଜବାବ ରଖିବା ଲାଗି କୁହାଯାଇଛି। ଏହି ପିଟିସନକୁ ବେଆଇନ ଦର୍ଶାଇ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଦୁଇଟି ପିଟିସନ ଦାଖଲ କରାଯାଇଛି। ପିଟିସନରେ ଯୁକ୍ତି କରାଯାଇଛି ଯେ କେବଳ ବିଧାନସଭା ଭିତରେ ହେଉଥିବା କାର୍ଯ୍ୟକଳାପ ପାଇଁ ଅଯୋଗ୍ୟ ଘୋଷଣା ଆଇନ ଲାଗୁ ହୋଇପାରିବ। ଦଳୀୟ ବୈଠକରେ ଅନୁପସ୍ଥିତି ଯୋଗୁଁ ଏଭଳି ଆଇନ ଲାଗୁ କରାଯାଇ ପାରିବ ନାହିଁ। ତେଣୁ ଉପବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଉପରେ ରୋକ୍ ଲଗାଯାଉ। ଉଦ୍ଧବ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି ପ୍ରତ୍ୟାଖ୍ୟାନ କରିଥିବାରୁ ପିଟିସନରେ ଏହାକୁ ଚାଲେଞ୍ଜ କରାଯାଇଛି। ବିଧାନସଭାରେ ଶିବ ସେନା ନେତା ଭାବେ ଅଜୟ ଚୌଧୁରୀଙ୍କ ନିଯୁକ୍ତିକୁ ମଧ୍ୟ ଚାଲେଞ୍ଜ କରାଯାଇଛି। ଏହାସହିତ ସମସ୍ତ ଅସନ୍ତୁଷ୍ଟ ବିଧାୟକ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାଲାଗି ପିଟିସନରେ ସୁପ୍ରିମ କୋର୍ଟଙ୍କୁ ଅନୁରୋଧ କରାଯାଇଛି।
