ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ : ବିଜେପି-ଏକନାଥ ସିନ୍ଦେଙ୍କ ଯୋଡ଼ିଙ୍କୁ ସଫଳତା, ୫୦%ରୁ ଅଧିକ ପ୍ରାର୍ଥୀ ସରପଞ୍ଚ
ମୁମ୍ୱାଇ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଯୋଡ଼ି ଗ୍ରାମାଞ୍ଚଳରେ ବଡ଼ ସଫଳତା ହାସଲ କରିଛି । ଦାବି କରାଯାଉଛି ଯେ, ଏହି ମେଣ୍ଟର ରାଜ୍ୟର ୧୬ଟି ଜିଲାରେ ୫୪୭ ଗ୍ରାମ ପଞ୍ଚାୟତ ନିର୍ବାଚନରେ ୫୦%ରୁ ଅଧିକ ପ୍ରାର୍ଥୀ ସରପଞ୍ଚ ହୋଇଛନ୍ତି । ମହା ବିକାଶ ଅଘାଡ଼ି ସରକାରର ପତନ ପରେ ଚଳିତ ବର୍ଷ ଜୁନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବର୍ତ୍ତମାନର ମେଣ୍ଟ ସରକାର ଗଠନ କରାଯାଇଥିଲା । ଏହି ସରକାରରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ସୋମବାର ଦିନ ବିଜେପି ପ୍ରଦେଶାଧ୍ୟକ୍ଷ ଚନ୍ଦ୍ରଶେଖର ବାୱାନକୁଲେ ଦାବି କରିଛନ୍ତି ଯେ, ତାଙ୍କ ଦଳ ସମର୍ଥିତ ୨୫୯ ପ୍ରାର୍ଥୀ ଓ ସିନ୍ଦେ ଗୋଷ୍ଠୀର ଶିବସେନା ସମର୍ଥିତ ୪୦ ଜଣ ପ୍ରାର୍ଥୀ ସରପଞ୍ଚ ହୋଇଛନ୍ତି ।
ରବିବାର ୧୬ଟି ଜିଲାର ୫୪୭ ଗ୍ରାମ ପଞ୍ଚାୟତରେ ମତଦାନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ୭୬ ପ୍ରତିଶତ ଭୋଟ୍ ପଡ଼ିଥିଲା । ସୋମବାର ଭୋଟ୍ ଗଣନା କରାଯାଇଥିଲା । ଗ୍ରାମ ପଞ୍ଚାୟତ ନିର୍ବାଚନ ବ୍ୟତୀତ ଗାଁର ସରପଞ୍ଚ ମଧ୍ୟ ସିଧାସଳଖ ନିର୍ବାଚିତ ହୋଇଥିଲେ । ବାୱାନକୁଲେ କହିଛନ୍ତି ଯେ, ନିର୍ବାଚିତ ସରପଞ୍ଚଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଲୋକ ସିନ୍ଦେ-ବିଜେପି ମେଣ୍ଟର ସମର୍ଥକ । ଗ୍ରାମ ପଞ୍ଚାୟତର ଫଳାଫଳ ସିନ୍ଦେ-ଫଡନାଭିସ୍ ସରକାରଙ୍କ ଉପରେ ମହାରାଷ୍ଟ୍ରର ଲୋକମାନଙ୍କର ଭରସାକୁ ପ୍ରମାଣିତ କରିଛି ।
ଏଠାରେ କହି ରଖୁଛୁ ଯେ, ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନର ତାରିଖ ଘୋଷଣା କରାଯାଇ ନାହିଁ । ମୌସୁମୀ ପରେ ନିର୍ବାଚନ ହୋଇପାରେ ବୋଲି କୁହାଯାଉଥିଲା । ସେପଟେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ସମେତ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବର୍ତ୍ତମାନ ବିଏମସି ଶିବସେନା ଦ୍ୱାରା ନିୟନ୍ତ୍ରିତ ହେଉଛି । ଗତ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ସିନ୍ଦେ କ୍ୟାମ୍ପ ବିଦ୍ରୋହ ପରେ ନିର୍ବାଚନରେ ସମୀକରଣ ବଦଳିପାରେ ବୋଲି ମନେ କରାଯାଉଛି ।
ସୂଚନା ଯେ, ଜୁନ୍ ଶେଷରେ କ୍ଷମତା ହାସଲ କରିଥିବା ଏକନାଥ ସିନ୍ଦେ ନେତୃତ୍ୱାଧୀନ ସରକାରରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ଏହାପୂର୍ବରୁ ଅନ୍ୟ ୩୯ ଶିବସେନା ବିଧାୟକଙ୍କ ସହ ଏକନାଥ ସିନ୍ଦେ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରି ଜୁନ୍ ମାସରେ ବିଜେପି ସହିତ ସରକାର ଗଠନ କରିଥିଲେ ।
