ଆନନ୍ଦବଜାର ମଧ୍ୟରେ ଲାଗିବ ମହାପ୍ରସାଦ ଦର ତାଲିକା, କେବଳ ସୁଆର ବିକିବେ ଅବଢ଼ା
ପୁରୀ: ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଗଠିତ ସବ୍ କମିଟିବୈଠକ ଅନୁଷ୍ଠିତ ହୋଇଛି । ସୁଆର ମହାସୁଆର ନିଯୋଗ ପକ୍ଷରୁ ବର୍ତ୍ତମାନ ବଜାର ଦରକୁ ନେଇ ତାଲିକା ପ୍ରଦାନ କରଯାଇଛି।ତେବେ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ। ଆନନ୍ଦ ବଜାରରେ ଜରି ପାଲ ଖୋଲାଯାଇ ସ୍ଥାୟୀ ସେଡ୍ କରାଯିବ। ୩ ଓ ୧୪ ନମ୍ବର ଖଜା ଦୋକାନ ଭଙ୍ଗାଯିବ। କୌଣସି ସେବାୟତ ଶ୍ରୀମନ୍ଦିର ଭିତରକୁ ପାନ,ଗୁଟଖା ଖାଇ ଯିବେ ନାହିଁ।
ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯିବ। ଗତ ସେପ୍ଟେମ୍ବର ମାସରେ କମିଟି ବୈଠକ ବସି ଅନେକଗୁଡ଼ିଏ ନିଷ୍ପତ୍ତି ନେଇଥିଲା । ଆନନ୍ଦବଜାରେ ସୁଆରଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରିବେ ନାହିଁ । ଅବଢ଼ା ବିକ୍ରି କରୁଥିବା ସୁପକାରଙ୍କ ଏକ ତାଲିକା ରହିବ । ଅଧିକୃତ ସେବାୟତଙ୍କୁ ଷ୍ଟଲ ନମ୍ବର ପକାଯାଇ ପରିଚୟପତ୍ର ପ୍ରଦାନ କରାଯିବ । ଭକ୍ତଙ୍କ ଯିବାଆସିବା ବାଟରେ ବସି କେହି ଅବଢ଼ା ବିକ୍ରି କରିପାରିବେ ନାହିଁ ।
ରୋଷଘରେ ପ୍ରସ୍ତୁତ ମହାପ୍ରସାଦ, ଶୁଖିଲି ଭୋଗ ଛଡ଼ା ବାହାରୁ ଖିରା, ରାବିଡ଼ି ଆଣି ଆନନ୍ଦ ବଜାରରେ ବିକିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଏ କେଉଁଠି ଅବଢ଼ା ବିକ୍ରି କରିବେ ତା’ର ମଧ୍ୟ ସ୍ଥିର କରାଯିବ । ସମସ୍ତ ସୁପକାର ରୋଷଘରେ ଓମ୍ଫେଡ ଘିଅ ବ୍ୟବହାର କରିବେ । ଆନନ୍ଦବଜାର ମଧ୍ୟରେ କେହି ନିଜସ୍ୱ ଜାଗା ଦାବି କରିପାରିବେ ନାହିଁ। ଅନ୍ନ, ଡାଲି, ବେସର, ମହୁର ପ୍ରଭୃତି ଶଙ୍ଖୁଡ଼ି ମହାପ୍ରସାଦ କୁଡ଼ୁଆ ଦର କ’ଣ ରହିବା ଉଚିତ୍ ସୁଆର ମହାସୁଆର ନିଯୋଗ ପକ୍ଷରୁ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି । ତେଣୁ ବୈଠକରେ ଅବଢ଼ା ଦର ଖୁବ ଶୀଘ୍ର ଧାର୍ଯ୍ୟ ହେବାର ସମ୍ଭାବନା ରହିଛି।
