ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣା : ମୁଖ୍ୟମନ୍ତ୍ରୀ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଭଳି ଉପାନ୍ତ ଅଂଚଳରେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଅପହରଣ ଓ ହତ୍ୟା ଭଳି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ତୁରନ୍ତ ଆଇନ ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବୀ କରିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଭଳି ଉପାନ୍ତ ଅଂଚଳରେ ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ବଲାଙ୍ଗିର ଝିଅର ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ । ଏହି ସ୍କୁଲର ମାଲିକ ଏହି ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜଣାପଡ଼ିଛି ।
ପୀଡ଼ିତାଙ୍କ ପରିବାର ତରଫରୁ ତାଙ୍କ ବିରୁଦ୍ଧରେ ଯେଉଁ ସବୁ ସଙ୍ଗୀନ ଅଭିଯୋଗ ଅଣାଯାଉଛି, ଏହା ଆହୁରି କଷ୍ଟଦାୟକ । ଏହି ବେସରକାରୀ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲୁଛି ଏବଂ ଓଡ଼ିଶାର ଶାସକ ଦଳର ମନ୍ତ୍ରୀ ଓ ନେତା ମାନଙ୍କର ଏହି ଘଟଣାରେ ସମ୍ପୃକ୍ତି ଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହା ସବୁ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ । ଓଡ଼ିଶା ଭଳି ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଅତ୍ୟାଚାର କ୍ରମାଗତ ଭାବେ ବୃଦ୍ଧି ପାଇବା ଉଦବେଗଜନକ । ଏହା ଏକ ସାଧାରଣ ଅପରାଧ ନୁହେଁ । ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଆଇନ ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
