ପାଗଳା କୁକୁରର ଦୌରାତ୍ମ୍ୟ : ଜଣେ ମୃତ, ୧୨ ଆହତ
ପାଟଣାଗଡ଼ : ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ବାଲିପଟା ଗାଁରେ ପାଗଳା କୁକୁରର ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ଗୁରୁବାର ସକାଳୁ ବାଲିପଟାରେ ପ୍ରଥମେ ପାଗଳ କୁକୁର ସରପଂଚଙ୍କୁ କାମୁଡିବା ପରେ ଗାଁର ୧୩ ଜଣଙ୍କୁ ବୁଲି ବୁଲି କାମୁଡିଥିଲା । ପରେ ନିକଟରେ ଥିବା ଗାଁ କଲଙ୍ଗା ପାଲିକୁ ଯାଇ ଏକ ମହିଳାଙ୍କୁ ମଧ୍ୟ କାମୁଡି ଥିଲା । ପାଟଣାଗଡ଼ ଡାକ୍ତରଖାନାକୁ ଆସି ସମସ୍ତେ ଚିକିତ୍ସିତ ହୋଇଥିଲେ । ଚିକିତ୍ସିତ ହେଉଥିବା ସମୟରେ ଜଣେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ବାଲିପଟା ପଂଚାୟତ ଅନ୍ତର୍ଗତ ବାଲିପଟା ଓ କଲଙ୍ଗାପାଲି ଗ୍ରାମରେ ଏକ କୁକୁର ବୁଲି ବୁଲି ଲୋକଙ୍କୁ କାମୁଡି ଥିଲା । ଏହି କୁକୁରର କାମୁଡାରେ ବାଲିପଟା ଗ୍ରାମର ଗୋଦାମ ମୁଣ୍ଡାଙ୍କ ୪ ବର୍ଷିୟା ଝିଅ ଦାପାଞ୍ଜଳି ମୁଣ୍ଡା, ସଂକିର୍ତନ ମାଝୀ (୬୦), ସରସ୍ୱତୀ ବେହେରା (୪୫), ସେବୁ ଭୋଇ(୭), ପୁନି ସାହୁ(୬୦) ଓ କଲଙ୍ଗାପାଲି ଗ୍ରାମର ଚନ୍ଦ୍ର କାନ୍ତି ସାହୁ(୫୦) ଗୁରୁତର ହୋଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଦାପାଞ୍ଜଳି ମୁଣ୍ଡାକୁ କୁକୁରଟି ମୁଣ୍ଡ ଓ ଗଳାରେ କାମୁଡି ମାଂସ ବାହାର କରି ଦେଇଥିବା ଜଣାପଡିଛି । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଦାପାଞ୍ଜଳିର ମୃତ୍ୟୁ ଘଟିଥିବା ବେଳେ ମୃତଦେହକୁ ବର୍ତମାନ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟମାନେ ଚିକିତ୍ସିତ ହୋଇ ଘରକୁ ଯାଇଥିବା ଜଣାପଡ଼ିଛି । କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ଡାକ୍ତରଖାନାକୁ ୬ ଜଣ ଆସି ଚିକିତ୍ସିତ ହୋଇଥିବା ବେଳେ ଅନ୍ୟମାନେ ଚେରମୂଳି ଚିକିତ୍ସା ପାଇଁ ନିକଟସ୍ଥ ବୈଦରାଜମାନଙ୍କ ପାଖକୁ ଯାଇଥିବା ଜଣାପଡ଼ିଛି ।
